ମୁମ୍ବାଇ: ଘରେ ପଶିଥିଲା ଚିତାବାଘ । ଶିଶୁର ଉପସ୍ଥିତ ବୁଦ୍ଧି ବଳରେ କଏଦ ହେଲା ବାଘ । ସାହସିକତା ପାଇଁ ପିଲାଟିକୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ । ମହାରାଷ୍ଟ୍ର ନାଶିକର ମାଲେଗାଁଓରୁ ଆସିଛି ଏଭଳି ଖବର । ସୂଚନା ଅନୁସାରେ, ଚିତାବାଘଟି ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରିଥିଲା । ଯାହା ଦେଖିବା ପରେ ପିଲାଟି ବାଘଟି ଥିବା କୋଠରୀର କବାଟ ବନ୍ଦ କରିଦେଇଥିଲା । ଆଉ ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା ।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ମାଲେଗାଁଓରେ ବାଘ ଚଳପ୍ରଚଳ କରୁଥିବା ଖବର ନଜରକୁ ଆସିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିଲେ । ଏଭଳି ସ୍ଥିତିରେ ପୁଣି ଥରେ ଚିତାବାଘ ନିଜର ଉପସ୍ଥିତି ଜାହିର କରିଛି । ଘର ଭିତରକୁ ବାଘଟି ପ୍ରବେଶ କରିଥିଲା । ଆଉ ମୋବାଇଲରେ ଖେଳିବା ସମୟରେ ହଠାତ୍ ବାଘକୁ ଦେକିବାକୁ ପାଇଥିଲା ସେଠାରେ ଉପସ୍ଥିତ ଥିବା ମୋହିତ ବିଜୟ ଅହିରେ । ଛୋଟ ପିଲା ହୋଇଥିଲେ ବି ମୋହିତର ଥିଲା ଅଦମ୍ୟ ସାହସ । ଏଣୁ ସେ ଭୟଭୀତ ନହୋଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥିଲା । ପ୍ରଥମେ ବାଘ ଥିବା ରୁମକୁ ବନ୍ଦ କରିଦେଇଥିଲା ମୋହିତ । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାରଲୋକେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ କର୍ମଚାରୀ । ସେଠାରେ ଥିବା ବାଘଟିକୁ ଇଞ୍ଜେକ୍ସନ ମାଧ୍ୟମରେ ଅଚେତ କରାଇବା ପରେ ତାକୁ କାବୁ କରିଥିଲା ବନବିଭାଗ ।