ଚେନ୍ନାଇ:ତାମିଲନାଡୁ ଓଟିରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ 6 ମୃତକ ମହିଳା ଓ ସେମାନେ ସମସ୍ତେ ସେହି ନିର୍ମାଣକାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିଲେ । ଅନ୍ୟ କିଛି ଶ୍ରମିକ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 4 ଜଣ ଆହତଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଅପରେସନ ଜାରି ରଖିଛନ୍ତି ।
ନୀଳଗିରି ଜିଲ୍ଲା ଓଟି ଲଭଡାଲେ ଏରିଆରେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏକ ବିଶାଳ କଂକ୍ରିଟ ପାଚେରୀ ନିର୍ମାଣରେ ବହୁ ଶ୍ରମିକ ନିୟୋଜିତ ଥିଲେ । ଆଜି ପୂର୍ବାହ୍ନରେ ହଠାତ ମାଟି ଅତଡା ଧସିଥିଲା । କାମ କରୁଥିବା ଶ୍ରମିକମାନେ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ଅଗ୍ନିଶମ ଟିମ୍ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । 4 ଜଣ ଶ୍ରମିକ ମାଟି ଅତଡା ମଧ୍ୟରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ଖୋଳା କାମ ଜାରି ରହିଛି । ସଂଧ୍ୟା ସୁଦ୍ଧା ଏହି ଅପରେସନ ଶେଷ କରାଯିବାକୁ ଲକ୍ଷ୍ଯ ରଖାଯାଇଛି । ଏହା ପରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରେ ।