ଓଡିଶା

odisha

ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା; ଡାକ୍ତରଙ୍କ ସୁରକ୍ଷା ପାଇଁ ମୋଦିଙ୍କୁ IMAର ଚିଠି, ଏମିତି କହିଲେ ନିର୍ଭୟାଙ୍କ ମା’ - Kolkata Doctor Death

By ETV Bharat Odisha Team

Published : Aug 18, 2024, 9:50 AM IST

Kolkata Doctor Death Case: ଦେଶବ୍ୟାପୀ ଚିକିତ୍ସା ସେବା ପ୍ରଭାବିତ । ଅଭିଯୁକ୍ତର ମାନସିକ ସ୍ଥିତି ପରୀକ୍ଷା ପାଇଁ ମନୋବିଜ୍ଞାନୀଙ୍କ ସହାୟତା ନେଲା ସିବିଆଇ । କର୍ମକ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲା ଭାରତୀୟ ଡାକ୍ତରୀ ସଂଘ । ଅଧିକ ପଢନ୍ତୁ

Kolkata Doctor Death
Kolkata Doctor Death (ANI)

ପଶ୍ଚିମବଙ୍ଗ:କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶରେ ଆନ୍ଦୋଳନ ତେଜିଛି । 24 ଘଣ୍ଟା ଧରି ଧର୍ମଘଟ କରିବା ପରେ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଭାରତୀୟ ଡାକ୍ତରୀ ସଂଘ (IMA) । ଏକ ପ୍ରେସ ରିଲିଜରେ ସଂଘ ପକ୍ଷରୁ ଡାକ୍ତରଙ୍କ ସୁରକ୍ଷା ସମ୍ବଳିତ 5 ଦଫା ଦାବି ଉପସ୍ଥାପନ କରାଯାଇଛି ।

  • IMAର ଦାବି:

ବିମାନବନ୍ଦରରରେ ଯେପରି ସୁରକ୍ଷା ପ୍ରୋଟକଲ କରାଯାଇଛି, ସେହିପରି ସମସ୍ତ ଡାକ୍ତରଖାନାର ସୁରକ୍ଷା ପ୍ରୋଟୋକଲ କରାଯିବା ଉଚିତ । ଡାକ୍ତରଖାନାଗୁଡ଼ିକୁ ସେଫ୍‌ ଜୋନ ଭାବେ ଘୋଷଣା କରାଯିବା ଉଚିତ । ଏଥିସହ ହସ୍ପିଟାଲ ଗୁଡିକରେ ସିସିଟିଭି ଓ ସୁରକ୍ଷାକର୍ମୀ ନିୟୋଜିତ କରିବା, ତୋଲକାତା କାଣ୍ଡର ତଦନ୍ତକୁ ତ୍ବରାନ୍ବିତ କରିବା କରି ପୀଡିତାଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦେବାକୁ ଏଥିରେ ଦାବି ହୋଇଛି । ଏଥିସହ ଅନ୍ୟ ଏକ ଗମ୍ଭୀର ଅଭିଯୋଗ ମଧ୍ୟ ସଂଘ ପକ୍ଷରୁ ଉପସ୍ଥାପିତ କରାଯାଇଛି । ଘଟଣା ଦିନ ପୀଡିତା କନିଷ୍ଠ ଡାକ୍ତର 36 ଘଣ୍ଟା ଡ୍ୟୁଟିରେ ଥିଲେ ଓ ସେହି ସ୍ଥାନରେ ବିଶ୍ରାମ ପାଇଁ ସୁରକ୍ଷିତ ସ୍ଥାନ ଓ ଶୌଚାଳୟ ନଥିଲା । ତେଣୁ ରେସିଡେଣ୍ଟ ଡାକ୍ତରଙ୍କ ପାଇଁ କାର୍ଯ୍ୟସ୍ଥଳର ବ୍ୟାପକ ପରିବର୍ତ୍ତନ କରିବାକୁ ମଧ୍ୟ ସଂଘ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଘଟଣାର ପ୍ରତିବାଦ, IMAର ୨୪ ଘଣ୍ଟିଆ ଧର୍ମଘଟ, ଓଡ଼ିଶାରେ ପ୍ରଭାବ - KOLKATA RAPE MURDER CASE

  • ମୋଦିଙ୍କ ହସ୍ତକ୍ଷେପ ଲୋଡିଲା IMA:

‘ଆଇଏମଏ’ ଆହୁରି ମଧ୍ୟ କହିଛି, ସ୍ବାଧୀନତା ଦିବସରେ ସମ୍ବୋଧନରେ ମହିଳାଙ୍କ ସୁରକ୍ଷା ବିଷୟରେ ଆପଣଙ୍କ ମନ୍ତବ୍ୟକୁ ଆମେ ପ୍ରଶଂସା କରୁଛୁ । ତେଣୁ ଏହି ଘଟଣାରେ ଆମେ ଆପଣଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରୁଛୁ । ଏହା କେବଳ ମହିଳା ଡାକ୍ତରଙ୍କୁ ନୁହେଁ କର୍ମକ୍ଷେତ୍ରରେ ଥିବା ପ୍ରତ୍ୟେକ ମହିଳାଙ୍କୁ ମଧ୍ୟ ଆତ୍ମବିଶ୍ୱାସ ପ୍ରଦାନ କରିବ । ଭାରତରେ ଥିବା ଡାକ୍ତରଙ୍କ ମଧ୍ୟରେ 60 ପ୍ରତିଶତ ମହିଳା ଡାକ୍ତର ଅଛନ୍ତି । ଡେଣ୍ଟାଲରେ 68 ପ୍ରତିଶତ, ଫିଜିଓଥେରାପିରେ 75 ପ୍ରତିଶତ ଏବଂ ନର୍ସିଂରେ 85 ପ୍ରତିଶତ ମହିଳା ଅଛନ୍ତି । ତେଣୁ ସମସ୍ତ ଡାକ୍ତରଖାନାରେ ସୁରକ୍ଷା ଜରୁରୀ ।’’

  • CBI ଟିମ୍‌ରେ ସାମିଲ ହେଲେ ମନୋବିଜ୍ଞାନୀ:

ଅନ୍ୟପେଟେ ଏହି ଘଟଣାର ତଦନ୍ତ ସିବିଆଇ କରୁଛି । ଗତକାଲି ସୁଦ୍ଧା ପ୍ରାୟ 30 ଜଣଙ୍କୁ ପଟାରଉଚାର କରାଯାଇଥିବା ନେଇ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି । ତଦନ୍ତ ଜୋରଦାର କରିବାକୁ ଆଜି ଜଣେ ମନୋବିଜ୍ଞାନୀ କୋଲକାତାରେ ପହଞ୍ଚିଛନ୍ତି । ସେ ‘ସିବିଆଇ’ ତଦନ୍ତରେ ସାହାଯ୍ୟ କରିବେ । ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରିବେ ଏହି ବିଶେଷଜ୍ଞ ।

  • କଣ କହିଲେ ନିର୍ଭୟାଙ୍କ ମା’:

ଏହି ଘଟଣାରେ ମୁହଁ ଖୋଲିଛନ୍ତି ଦିଲ୍ଲୀରେ ଏପରି ପାଶବିକତାର ଶିକାର ହୋଇଥିବା ନିର୍ଭୟାଙ୍କ ମା’ ଆଶା ଦେବୀ । ସେ କହିଛନ୍ତି, ‘‘ସେହି ଝିଅ ସହିତ ଯାହା ହେଲା, ଯଦି ଜଣେରୁ ଅଧିକ ଲୋକ ଏଥିରେ ସାମିଲ ଅଛନ୍ତି ତେବେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯାଇ ଉଚିତ ଦଣ୍ଡ ମିଳିବା ଉଚିତ । ଝିଅଟିକୁ ଦୁଷ୍କର୍ମ କରାଯାଇଛି ନା ଗଣଦୁଷ୍କର୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଯଦି ଡାକ୍ତରଖାନା ଭିତରେ ମହିଳା ଡାକ୍ତର ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ମହିଳା ଏବଂ ଝିଅମାନଙ୍କ ବିଷୟରେ କ’ଣ ଚିନ୍ତା କରିପାରିବା । ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ସେଠାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏହି ସମୟରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ପରିବର୍ତ୍ତେ ସରକାରୀ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details