ନୂଆଦିଲ୍ଲୀ:କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ସିବିଆଇ । ଏହି ରିପୋର୍ଟ ଜରିଆରେ ତଦନ୍ତକାରୀ ସଂସ୍ଥା ତଦନ୍ତ ଅଗ୍ରଗତି ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି । ତେବେ ଆଜି ବି ଶୁଣାଣି ବେଳେ ପଶ୍ଚିମବଙ୍ଗ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି କୋର୍ଟ । ପୀଡିତା ଡାକ୍ତରଙ୍କ ପୋଷ୍ଟମର୍ଟମ ପରେ କାହିଁକି ମାମଲା ରୁଜୁ ହେଲା ବୋଲି ପ୍ରଶ୍ନ କରି ପୋଲିସର ବ୍ୟବହାରକୁ ଲଜ୍ଜାଜନକ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ଜେ.ବି ପର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।
କୋଲକାତା ମାମଲାରେ କ'ଣ କହିଲେ ସୁପ୍ରିମକୋର୍ଟ:
ପୁଣିଥରେ ପଶ୍ଚିମବଙ୍ଗ ପୋଲିସକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ୩୦ ବର୍ଷ ଭିତରେ ଏଭଳି ଖାମଖିଆଲ ମାମଲା ଆମେ ଦେଖିନୁ । ପୀଡିତାଙ୍କ ପୋଷ୍ଟମର୍ଟମ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଯଦି ସ୍ବାଭାବିକ ମୃତ୍ୟୁ ହୋଇଛି, ତାହେଲେ ପୋଷ୍ଟମର୍ଟମ କାହିଁକି କରାଗଲା । ଏଥିସହ ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ଏବଂ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଆଶ୍ବାସନା ଦେଇଛନ୍ତି ।
ଓକିଲଙ୍କୁ ତାଗିଦ୍:
କୋଲକାତା ମାମଲାରେ ସୁପ୍ରିମକୋର୍ଟ ଓକିଲଙ୍କୁ ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ଯୁକ୍ତି ନ ବାଢିବାକୁ କହିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଆମ ପାଖରେ ପୋଷ୍ଟମର୍ଟମ ରିପୋର୍ଟ ଅଛି । ପୀଡିତାଙ୍କ ଶରୀରରୁ ୧୫୧ ଏମଏଲ ସିମେନ ମିଳିବା ତଥ୍ୟକୁ ସେ ଖଣ୍ଡନ କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ହସ୍ପିଟାଲ ନୁହେଁ ବରଂ ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପୀଡିତାଙ୍କ ବାପାମାଆ ଏଫଆଇଆର ରୁଜୁ ନ କରିବାକୁ ପୋଲିସକୁ କହିଥିବା କଥା ସମ୍ପୂର୍ଣ୍ଣ ମିଛ ।