ହାଇଦ୍ରାବାଦ:କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଆମେରିକାରେ ଗୋଟିଏ ପରେ ଗୋଟିଏ ଭାରତୀୟଙ୍କ ମୁଣ୍ଡ ଗଡିବାରେ ଲାଗିଛି । ଏହାରି ଭିତରେ କାଲିଫର୍ଣ୍ଣିଆରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ୱାମୀ, ସ୍ତ୍ରୀଙ୍କ ସହିତ ଦୁଇ ଛୁଆଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ୪୨ ବର୍ଷୀୟ ଆନନ୍ଦ ସୁଜିତ ହେନରୀ, ତାଙ୍କ ୪୦ ବର୍ଷୀୟା ସ୍ତ୍ରୀ ଏଲିସ୍ ପ୍ରିୟଙ୍କା ଏବଂ ୪ ବର୍ଷୀୟ ଯାଞ୍ଚାଳା ଛୁଆ ନୁହ ଓ ନିଥନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସମସ୍ତ ମୃତକ କେରଳର ବୋଲି ଜଣାପଡିଛି । ହତ୍ୟା ଏବଂ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସାନ ମେଟା ପୋଲିସର ସୂଚନା ଅନୁସାରେ, ବାଥରୁମରେ ଗୁଳି ବିନିମୟ ଯୋଗୁଁ ସ୍ୱାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ୯ମିମି ପିସ୍ତଲ ଏବଂ ଗୋଟିଏ ମାଗାଜିନ ମିଳିଛି । ତେବେ ଏୟାର କଣ୍ଡିସନ କିମ୍ବା ହିଟରରୁ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ୍ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଆଶଙ୍କା ପ୍ରକାଶ କରାଯାଇଥିଲା । କିନ୍ତୁ ଘରୁ ସେଭଳି କୌଣସି ବୈଦ୍ୟୁତିକ ଉପକରଣ ପାଇନଥିଲା ପୋଲିସ । ତେବେ ଛୁଆମାନଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ବିଦେଶ ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସ୍ତ୍ରୀ
ସୂଚନା ଅନୁସାରେ ଉଭୟ ଆନନ୍ଦ ଏବଂ ଏଲିସ ଆମେରିକାରେ ରହି ଆଇଟି ସେକ୍ଟରରେ ଚାକିରି କରୁଥିଲେ । ଗତ ୯ ବର୍ଷ ଧରି ସେମାନେ ଆମେରିକାରେ ରହୁଥିଲେ । ଆନନ୍ଦ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିବା ବେଳେ ଏଲିସ ଜଣେ ବରିଷ୍ଠ ଆନାଲିଷ୍ଟ । ୨୦୨୦ ମସିହାରେ ଏହି ଦମ୍ପତି ୧୭.୪୨ କୋଟି ଟଙ୍କାର ଏକ ବଙ୍ଗଳା ମଧ୍ୟ କିଣିଥିଲେ ।
କୋର୍ଟ ରେକର୍ଡ ଅନୁସାରେ, ଆନନ୍ଦ ଡିସେମ୍ବର ୨୦୧୬ ମସିହାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟରେ ଉଭୟଙ୍କର ଛାଡପତ୍ର ହୋଇପାରିଲା ନାହିଁ । ପଡୋଶୀଙ୍କ କହିବା ଅନୁସାରେ ସେମାନେ ଭଲ ବନ୍ଧୁ ହୋଇ ରହିଥିଲେ । ପ୍ରକାଶ ଥାଉକି, ବିଦେଶରେ ଭାରତୀୟ ଛାତ୍ର ଏବଂ ନାଗରିକଙ୍କ ଉପରେ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସୁଛି । ଗୋଟିଏ ମାସ ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
କେରଳରେ ରହୁଥିବା ପ୍ରିୟଙ୍କାଙ୍କ ମାଆ ଜୁଲେଟଙ୍କ କହିବା ଅନୁସାରେ, "ଆମେରିକାରୁ ଥିରୁଅନନ୍ତପୁରମ ୧୨ ତାରିଖ ସକାଳେ ପହଞ୍ଚିଥିଲି । ଭାରତରେ ପହଞ୍ଚିବା ପରେ ପ୍ରିୟଙ୍କାକୁ ଫୋନ କିମ୍ବା ମେସେଜ କରିବା ସତ୍ତ୍ୱେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା । ଏହାପରେ ଆମେରିକାରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ସେ ୯୧୧କୁ ଫୋନ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଜୀବତ ବଦଳରେ ୪ ଜଣଙ୍କ ମୃତଦେହ କରିଥିଲା ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ