ନୂଆଦିଲ୍ଲୀ:ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମଧ୍ୟରେ ହିନ୍ଦୁପକ୍ଷଙ୍କ ଦ୍ବାରା ପୂଜାର୍ଚ୍ଚନା ଜାରି ରହିବ । ଆଜି ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଏହା ଉପରେ କୌଣସି ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି । ପୂର୍ବ ପରି ହିନ୍ଦୁପକ୍ଷ ସେଠାରେ ପୂଜାର୍ଚ୍ଚନା ଜାରି ରଖିବେ ବୋଲି କୋର୍ଟ କହିଛନ୍ତି । ଦୀର୍ଘ ଦିନ ଧରି ଶୁଣାଣି କରିବା ପରେ ଜାନୁଆରୀ 31ରେ ବାରାଣାସୀ କୋର୍ଟ ମସଜିଦ ମଧ୍ୟରେ ଥିବା ବ୍ୟାସ ତେହେଖାନାରେ ହିନ୍ଦୁପକ୍ଷଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେଇଥିଲେ । ଏହାକୁ ପ୍ରତିପକ୍ଷ ମୁସଲିମ ପକ୍ଷ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଡୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏବେ ପୂର୍ବ ପରି ଉଭୟ ପକ୍ଷ ନିର୍ଦ୍ଧାରିତ ସ୍ଥାନରେ ସେମାନଙ୍କ ଉପାସନା ଜାରି ରଖିବାକୁ କୋର୍ଟ କହିଛନ୍ତି । ସର୍ବୋଚ୍ଚ ଅଦାଲତର ଅନୁମତି ବିନା ଯଥା ସ୍ଥିତିରେ ପରିବର୍ତ୍ତନ କରାଯିବା ଉଚିତ ନୁହେଁ ବୋଲି ବେଞ୍ଚ ଆଜି ସ୍ପଷ୍ଟ କରିଛନ୍ତି । ଆଜି ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୋର୍ଟ କହିଛନ୍ତି, ପୂର୍ବ ପରି ହିନ୍ଦୁପକ୍ଷ ଦକ୍ଷିଣ ପଟେ ମସଜିଦରେ ପ୍ରବେଶ କରି ତେହେଖାନାରେ ପୂଜା କରିବେ । ମୁସଲିମ ପକ୍ଷ ମଧ୍ୟ ପୂର୍ବପରି ଉତ୍ତର ପଟେ ପ୍ରବେଶ କରି ନମାଜ ପାଠ କରିବ । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇରେ ହେବା ନେଇ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।