ବେଙ୍ଗାଲୁରୁ: କର୍ଣ୍ଣାଟକ ହ୍ବାଇଟଫିଲ୍ଡ ନିକଟସ୍ଥ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ ଘଟଣା । ଏଥିରେ ଏଯାବତ ପ୍ରାୟ ୯ ଜଣ ଆହତ ହୋଇଛନ୍ତି । ସିସିଟିଭି ଫୁଟେଜରେ ଜଣେ ଅଜଣା ବ୍ୟକ୍ତି ସନ୍ଦିଗ୍ଧ ବ୍ୟାଗ ରଖି ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ ଭାବରେ ଏକ ବୋମା ବିସ୍ଫୋରଣ, କୌଣସି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନୁହଁ ବୋଲି ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିସ୍ଫୋରଣକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
ଆଜି (ଶୁକ୍ରବାର) ଅପରାହ୍ନ ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିଶେଷ କରି ରାମେଶ୍ବରମ କାଫେରେ ମଧ୍ୟାହ୍ନ ଭୋଜନ ସମୟରେ ଅଧିକ ଭିଡ଼ ଦେଖିବାକୁ ମିଳେ । ଠିକ ଏହି ସମୟରେ ହିଁ ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତ ବେଳେ ଏହା ସିଲିଣ୍ଡର ଗ୍ୟାସ ଫାଟି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିଲା । ମାତ୍ର ଏବେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ସିସିଟିଭି ଫୁଟେଜ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, " କାଫେର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ କେହି ଜଣେ ଏକ ସନ୍ଦିଗ୍ଧ ବ୍ୟାଗ କାଫେ ଭିତରେ ରଖି ଚାଲିଯାଇଥିଲା । ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ । ରାଜ୍ୟ ଗୃହ ମନ୍ତ୍ରୀ ଜି ପରମେଶ୍ବର ବିସ୍ଫୋରଣ ସାଇଟ ଗସ୍ତ କରି ତଦନ୍ତ ଜାରି ରଖିଛନ୍ତି ।"