ଓଡିଶା

odisha

ରାଞ୍ଚି ସର୍କିଟ ହାଉସରେ ପହଞ୍ଚିଲେ ଜେଏମଏମ-କଂଗ୍ରେସ ବିଧାୟକ, କାଲି ଫ୍ଲୋରଟେଷ୍ଟ

By ETV Bharat Odisha Team

Published : Feb 4, 2024, 11:01 PM IST

JMM and Congress MLAs arrive at Circuit House in Ranchi: ରାଞ୍ଚିରେ ପହଞ୍ଚିଲେ ଜେଏମଏମ-କଂଗ୍ରେସ ବିଧାୟକ, କାଲି ଫ୍ଲୋରଟେଷ୍ଟ । ଅଧିକ ପଢନ୍ତୁ

ରାଞ୍ଚିରେ ପହଞ୍ଚିଲେ ଜେଏମଏମ-କଂଗ୍ରେସ ବିଧାୟକ, କାଲି ଫ୍ଲୋରଟେଷ୍ଟ
ରାଞ୍ଚିରେ ପହଞ୍ଚିଲେ ଜେଏମଏମ-କଂଗ୍ରେସ ବିଧାୟକ, କାଲି ଫ୍ଲୋରଟେଷ୍ଟ

ରାଞ୍ଚି:ଆସନ୍ତାକାଲି (ସୋମବାର) ଫ୍ଲୋରଟେଷ୍ଟରେ ଅଂଶଗ୍ରହଣ କରିବା ପାଇଁ ଶୁକ୍ରବାର ଠାରୁ ହାଇଦ୍ରାବାଦରେ ଥିବା ଜେଏମଏମ-କଂଗ୍ରେସ ବିଧାୟକମାନେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି । ଅପରାହ୍ନରେ ହାଇଦ୍ରାବାଦରୁ ବିମାନ ଯାତ୍ରା କରିଥିବା ବିଧାୟକମାନେ ବିଳମ୍ବିତ ସଂଧ୍ୟାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ଜଣାନଥିଲେ ସୁଦ୍ଧା ପ୍ରାୟ 40 ହେବା ନେଇ କୁହାଯାଉଛି । ବିଧାୟକମାନଙ୍କୁ ବ୍ୟକ୍ତିଗତ କାର ବ୍ୟବହାର କରିବାକୁ ଦିଆଯାଇନି । ଦୁଇଟି ବସରେ ସମସ୍ତଙ୍କୁ ସର୍କିଟ ହାଉସକୁ ନିଆଯାଇଛି । ଗଣମାଧ୍ୟମରେ ଏହି ବିଧାୟକମାନେ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

ସେମାନେ ଆଜି ସର୍କିଟ ହାଉସରେ ରହିବେ । ଆସନ୍ତକାଲି ପୂର୍ବାହ୍ନରେ ସେମାନେ ସିଧା ସର୍କିଟ ହାଉସରୁ ବିଧାନସଭାରେ ପହଞ୍ଚିବେ । ଶୁକ୍ରବାର ସମସ୍ତ ବିଧାୟକଙ୍କୁ କଂଗ୍ରେସଶାସିତ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯାଇଥିଲା । ସେଠାରେ ସେମାନେ ଦୁଇଦିନ ରହିବା ପରେ ଆଜି ଫେରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ସୋରେନ ସଂଖ୍ୟା ବହୁମତର ପ୍ରମାଣ ଦେବେ । ତେବେ ଚମ୍ପେଇଙ୍କ ସମର୍ଥନରେ ଆବଶ୍ୟକ ସଂଖ୍ୟକ ବିଧାୟକ ଥିବା ଚର୍ଚ୍ଚା ହେଉଛି । ତଥାପି ଆସନ୍ତାକାଲିର ଘଟଣା ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଆଜି ଜଣେ ଜେଏମଏମ ବିଧାୟକ ହେମନ୍ତ ସୋରେନଙ୍କ ଉପରେ ଅସନ୍ତୁଷ୍ଟ ଥିବା ଖବର ସାମ୍ନାକୁ ଆସିଥିଲା । ଆସନ୍ତାକାଲି ଗୃହରେ ଚମ୍ପାଇ ସରକାର ଆସ୍ଥା ଭୋଟର ସାମ୍ନା କରିବ ।

ଏହା ମଧ୍ୟ ପଢନ୍ତୁ :- କାଲି ଫ୍ଲୋରଟେଷ୍ଟ, ହାଇଦ୍ରାବାଦରୁ ରାଞ୍ଚି ଅଭିମୁଖେ ଜେଏମଏମ ସମର୍ଥିତ ବିଧାୟକ

81 ଆସନ ବିଶିଷ୍ଟ ଝାଡଖଣ୍ଡରେ ସରକାର ଗଠନ ପାଇଁ 41 ବିଧାୟକଙ୍କ ଆବଶ୍ୟକତା ରହିଛି । ପୂର୍ବରୁ ଶାସନରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନିକଟରେ ସର୍ବାଧିକ 29 ଆସନ ଓ ଏହାର ସହଯୋଗୀ କଂଗ୍ରେସ ନିକଟରେ 17 ଆସନ ରହିଛି । ସେହିପରି ରାଷ୍ଟ୍ରୀୟ ଜନତା ଦଳ ଓ ସିପିଆଇ(ଏମ)ର ଜଣେ ଲେଖାଏଁ ବିଧାୟକ ମଧ୍ୟ ଜେଏମଏମ ସମର୍ଥିତ ମେଣ୍ଟରେ ରହିଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ନିକଟରେ 25 ବିଧାୟକ ରହିଛନ୍ତି । ତେଣୁ ଚମ୍ପାଇଙ୍କ ନିକଟରେ ଏବେ ପ୍ରାୟ 43 ବିଧାୟକ ସମର୍ଥନ ଥିବା ଜେଏମଏମ ଦାବି କରିଛି । ସେହିପରି ଭୋଟିଂ ସମୟରେ ଏହି ସଂଖ୍ୟାରେ ବୃଦ୍ଧି ପାଇ 46-47ରେ ପହଞ୍ଚିପାରେ ବୋଲି ଚମ୍ପାଇଙ୍କ କ୍ୟାମ୍ପ ଦାବି କରୁଛି । ଆସନ୍ତାକାଲି ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ପାଇଁ ହେମନ୍ତ ସୋରେନ ମଧ୍ୟ ଜେଲରୁ ଆସି ସଦନରେ ଉପସ୍ଥିତ ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details