ଓଡିଶା

odisha

ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ: ଗୋପଲୀଳାରୁ କଂସ ବଧ, ପୁଣି ମହାଭାରତ ପର୍ଯ୍ୟନ୍ତ, ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ - Janmashtami 2024

By ETV Bharat Odisha Team

Published : Aug 26, 2024, 9:35 AM IST

Updated : Aug 26, 2024, 9:49 AM IST

Janmashtami 2024: ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟରାତ୍ରିରେ ଜନ୍ମ ନେବେ କଳା କହ୍ନେଇ । ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ କାହିଁକି ଦ୍ବାପର ଯୁଗରେ ଜନ୍ମ ନେଇଥିଲେ ଲୀଳାମୟ ଶ୍ରୀକୃଷ୍ଣ, ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

JANMASHTAMI 2024
JANMASHTAMI 2024 (Etv Bharat)

ହାଇଦ୍ରାବାଦ: ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି... ହେ ନାଥ ନାରାୟଣ ବାସୁଦେବ । ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣ । ସେ ସୃଷ୍ଟି, ସୁନ୍ଦର, ପ୍ରେମର ପ୍ରତିକ, ପରମାତ୍ମା, ପାପ ବିନାଷକାରୀ ଓ ଧର୍ମ ସଂସ୍ଥାପକ । ମାନବ ଜାତିର ଉନ୍ନତି କଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀଳା କରିଥିଲେ। ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ସେହି ଦିନକୁ କୃଷ୍ଣ ତନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି ।

JANMASHTAMI 2024 (Etv Bharat)

ଉଠୁଛି ପଡୁଛି ମଥୁରା-ଗୋପପୁର: ଆଜି ପବିତ୍ର ଜନ୍ମାଷ୍ଟମୀରେ ଧରାବତରଣ କରିବେ ଦେବକୀ ଓ ଯଶୋଦା ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ । ଏନେଇ ପୁରଠୁ ପଲ୍ଲୀ ଉତ୍ସବ ମୁଖର ପରିବେଶ । ଉଠୁଛି ପଡୁଛି ଗୋପପୁର, ମଥୁରା ଓ ଦ୍ବାରକା ନଗରୀ । ଜନ୍ମଭୂମି ମଥୁରା ଗଳିକନ୍ଦିରେ ଗୁଞ୍ଜରିତ ହେଉଛି ହରେକୃଷ୍ଣ ଧ୍ବନି । ଆଜି ବିଳମ୍ବିତ ରାତିରେ ମଥୁରାରେ ଜନ୍ମ ନେବେ ନଟଖଟ ନାଟବର କଳା କହ୍ନେଇ । ଏନେଇ କୃଷ୍ଣ ମନ୍ତିର ଓ ଇସକନ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସକାଳୁ ସକାଳୁ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଜମିଥିବା ବେଳେ କୃଷ୍ଣଙ୍କ ଆଗମନକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

କଂସକୁ ବଧ କରିବାକୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ:ଦ୍ବାପର ଯୁଗରେ ମଥୁରା ନଗରୀରେ କଂସର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଯେତେବେଳେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ କଂସ ଯାଉଥିଲା ସେତେବେଳେ ଆକାଶବାଣୀ ହୋଇଥିଲା ଭଉଣୀ ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ତାକୁ ବଧ କରିବ । ଏହାପରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରିଥିଲା ପ୍ରବଳ ପ୍ରତାପୀ କଂସ । ଦେବକୀଙ୍କ ପ୍ରଥମ 7ଟି ସନ୍ତାନଙ୍କୁ ହତ୍ୟା କରିଥିଲା । ଏହା ପରେ ଅଧର୍ମର ବିନାଶ ପାଇଁ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମଧ୍ୟ ରାତ୍ରୀରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ ।

ଏହା ମଧ୍ୟ ପଢନ୍ତୁ-ବାଲୁକା କଳାରେ କଳା କହ୍ନେଇ, ଜନ୍ମାଷ୍ଟମୀରେ 'Kill the Evil' ବାର୍ତ୍ତା ଦେଲେ ସୁଦର୍ଶନ - Janmashtami 2024

ଧରାବତରଣ ଉଦ୍ଦେଶ୍ୟ କହିଥିଲେ ଶ୍ରୀକୃଷ୍ଣ: ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଥିଲେ। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ।

JANMASHTAMI 2024 (Etv Bharat)

କାହିଁକି ପାଳନ କରାଯାଏ ଜନ୍ମାଷ୍ଟମୀ ?

JANMASHTAMI 2024 (Etv Bharat)

ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥା ଅନୁଯାୟୀ ଯେଉଁ ସମୟରେ କୃଷ୍ଣଙ୍କୁ ଧରି ବନ୍ଦୀଶାଳାରୁ ବାହାରିଥିଲେ ବାସୁଦେବ ସେହି ସମୟରେ ଦିବ୍ୟ ଆଲୋକରେ ଆଲୋକିତ ହେଇଥିଲା । ବସୁଦେବଙ୍କ ଗୋଡରୁ ବେଡି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ଚିଥିଲେ। ପ୍ରଭୁ ବର୍ଷାରେ ଓଦା ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦ ଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

Last Updated : Aug 26, 2024, 9:49 AM IST

ABOUT THE AUTHOR

...view details