ନୂଆଦିଲ୍ଲୀ:ଭାରତରେ କୋଟି କୋଟି ଲୋକ ମଦ୍ୟପାନ କରନ୍ତି । ପରିସଂଖ୍ୟାନ ଅନୁଯାୟୀ, ଜଣେ ଭାରତୀୟ ନାଗରିକ ଗୋଟିଏ ବର୍ଷରେ ପ୍ରାୟ ୪.୯ ଲିଟର ମଦ୍ୟପାନ କରନ୍ତି । ମଦ୍ୟପାନକୁ ନେଇ ଭାରତରେ ଅନେକ ନିୟମ ଅଛି । ଏହି ନିୟମ ଅନୁଯାୟୀ, କୌଣସି ଭାରତୀୟ ନାଗରିକ ମଦ୍ୟପାନ କରି ଗାଡ଼ି ଚଲାଇ ପାରିବେ ନାହିଁ । ଏହାସହ କୌଣସି କର୍ମଚାରୀ ମଦ୍ୟପାନ କରି ଅଫିସକୁ ଯାଇପାରିବେ ନାହିଁ । ଏଭଳି ସ୍ଥିତିରେ, ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ ଯେ, ସେମାନେ ମଦ୍ୟପାନ କରି ଟ୍ରେନରେ ଯାତ୍ରା କରିପାରିବେ କି ନାହିଁ ? ଯାତ୍ରା ସମୟରେ ମଦ୍ୟପାନକୁ ନେଇ କ’ଣ ନିୟମ ରହିଛି ? ଏବଂ ଯଦି ଜଣେ ବ୍ୟକ୍ତି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ କେତେ ଦଣ୍ଡ ଦିଆଯିବ ?। ଯଦି ଆପଣଙ୍କ ମନରେ ମଧ୍ୟ ଏହି ସମାନ ପ୍ରଶ୍ନ ଅଛି ଆଜି ଆମେ ଆପଣଙ୍କୁ ଏସବୁ ବିଷୟରେ ଜଣାଇବୁ ।
ଟ୍ରେନରେ ମଦ ନେଇପାରିବେ କି ଯାତ୍ରୀ ?
ଟ୍ରେନ୍ ହେଉଛି ଏକ ସାଧାରଣ ପରିବହନ । ପ୍ରତିଦିନ ଏଥିରେ ହଜାର ହଜାର ଲୋକ ଯାତ୍ରା କରନ୍ତି । ତେଣୁ ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଅନେକ ନିୟମ କରିଛି । ଯାହାଦ୍ବାରା ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ । ଏଥି ସହିତ, ଯଦି ମଦ୍ୟପାନ ସମ୍ବନ୍ଧୀୟ ନିୟମ ବିଷୟରେ ଦେଖିବା, ତେବେ ରେଳ ନିୟମ ଅନୁଯାୟୀ, ଯାତ୍ରୀମାନେ ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ । ଭାରତୀୟ ରେଳ ଅଧିନିୟମ ୧୯୯୮ ଅନୁଯାୟୀ, ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ମଦ ନେଇପାରିବେ, କିନ୍ତୁ ଯାତ୍ରୀ କେବଳ ସେହି ରାଜ୍ୟରେ ମଦ ନେଇପାରିବେ ଯେଉଁଠାରେ ଏହାକୁ ଅନୁମତି ଦିଆଯାଇଛି । କାରଣ ଦେଶର ଅନେକ ରାଜ୍ୟରେ ମଦ ନିଷେଧ ରହିଛି । ଯେପରି କି ଗୁଜୁରାଟ, ନାଗାଲାଣ୍ଡ, ବିହାର ଏବଂ ଲାକ୍ଷାଦ୍ବୀପ । ଯଦି କୌଣସି ଯାତ୍ରୀ ଏହି ରାଜ୍ୟଗୁଡିକରେ ଯାତ୍ରା କରିବା ସମୟରେ ମଦ ନେଉଥିବାର ଦେଖାଯାଏ, ତେବେ ତାଙ୍କୁ ଜରିମାନା କରାଯାଇପାରେ । ଏହାସହ ସେ ଜେଲ ମଧ୍ୟ ଯାଇପାରନ୍ତି ।
ଜଣେ ଯାତ୍ରୀ କେତେ ମଦ ନେଇପାରିବେ ?
ଭାରତୀୟ ରେଲୱେ ନିୟମ ଅନୁଯାୟୀ, ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ସମୟରେ କେବଳ ୨ ଲିଟର ମଦ ନେଇ ପାରିବେ । କେବଳ ଏତିକି ନୁହେଁ, ଯାତ୍ରୀମାନେ ନେଉଥିବା ମଦ ବୋତଲକୁ ସିଲ୍ କରାଯାଇଥିବା ଉଚିତ୍ । ନିୟମ ଅନୁଯାୟୀ, କୌଣସି ଯାତ୍ରୀ ଟ୍ରେନରେ ଖୋଲା ବୋତଲରେ ମଦ ନେଇପାରିବେ ନାହିଁ ।