ମୁମ୍ବାଇ:ଆକ୍ରମଣ କରିଜାହାଜ ଅପହରଣ ଉଦ୍ୟମ ବେଳେ ଆରବ ସାଗରରୁ ଗିରଫ ହୋଇଥିବା 9ଜଣ ସୋମାଲିଆ ଜଳଦସ୍ୟଙ୍କୁ ଆଜି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି ଭାରତୀୟ ନୌସେନା । ମାର୍ଚ୍ଚ 29 ତାରିଖରେ ଆରବ ସାଗରରେ ସୋମାଲିଆ ଉପକୂଳରେ ଜାହାଜ ଅପହରଣ ଓ ଆକ୍ରମଣ ଉଦ୍ୟମ ହୋଇଥିବା ଖବର ମିଳିବା ପରେ ଭାରତୀୟ ନୌସେନାର ଦୁଇ ଯୁଦ୍ଧ ଜାହାଜ ‘ଆଇଏନଏସ ତ୍ରିଶୂଳ’ ଓ ‘ଆଇଏନଏଏସ ସୁମେଧା’ ଅପରେସନ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଯାତ୍ରା କରିଥିଲେ । ଆକ୍ରମଣ ଓ ଅପହରଣର ଶିକାର ହୋଇଥିବା ମାଖଧରା ଜାହାଜରେ 23 ଜଣ ପାକିସ୍ତାନୀ ନାଗରିକ ଥିଲେ । ସେମାନଙ୍କୁ ଉଦ୍ଧାର କରିବା ସହ ଭାରତୀୟ ନୌସେନା 9ଜଣ ସୋମାଲିଆ ଜଳଦସ୍ୟୁଙ୍କୁ ଗିରଫ ମଧ୍ୟ କରିଥିଲା ।
ଆଜି ଏ ସମସ୍ତ ଜଳଦସ୍ୟୁଙ୍କୁ ମୁମ୍ବାଇ ସ୍ଥିତ ପଶ୍ଚିମ ନାଭାଲ କମାଣ୍ଡକୁ ଅଣାଯିବା ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଭାରତୀୟ ନ୍ୟାୟିକ ପ୍ରକ୍ରିୟା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ‘ଆଇଏନଏସ କୋଲକାତା’ରେ ମଧ୍ୟ କିଛି ଜଳଦସ୍ୟଙ୍କୁ ଗିରଫ କରାଯାଇ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିସାରିଛି ନୌସେନା । ଆଜି ଭାରତୀୟ ନୌସେନାର ଏହି ଫ୍ରିଗ୍ରେଟ ଶ୍ରେଣୀର ଯୁଦ୍ଧ ଜାହାଜ ‘ଆଇଏନଏସ ତ୍ରିଶୂଳ’ ମୁମ୍ବାଇର ନାଭାଲ ଡକରେ ପହଞ୍ଚିବା ପରେ ମୁମ୍ବାଇ ପୋଲିସ ଟିମ ଏହି ଦସ୍ୟୁମାନଙ୍କୁ ନୌସେନା ଠାରୁ କଷ୍ଟଡିକୁ ନେଇଛି । ସମସ୍ତଙ୍କୁ ପ୍ରାଥମିକ ଜେରା ପରେ କୋର୍ଟରେ ହାଜର କରାଯିବ । ଭାରତୀୟ ନ୍ୟାୟିକ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।