ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟ ମାନ୍ୟତା ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ । ମଙ୍ଗଳବାର ଏନେଇ ଏକ ସଂଙ୍କଳ୍ପ ପାରିତ ହୋଇଥିଲା । ଏହି ଭୋଟିଂରେ ଭାରତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି । ଆମେରିକା ଇସ୍ରାଏଲ ସମେତ ଅନ୍ୟ କିଛି ଦେଶ ଏହା ବିରୋଧରେ ଭୋଟ ଦେଇଥିଲେ । ମାତ୍ର ଶତାଧିକ ଦେଶର ଭୋଟରେ ଏହି ପ୍ରସ୍ତାବ ପାରିତ କରିଥିଲା ଜାତିସଂଘ ସହାସଭା । ଏହା ସହ ସୁରକ୍ଷା ପରିଷଦରେ ପାଲେଷ୍ଟାଇନକୁ ସଦସ୍ୟ ଦେଶ ଭାବେ ମାନ୍ୟତା ଦେବା ପାଇଁ ଏହି ପାରିତ ପ୍ରସ୍ତାବରେ ପ୍ରାବଧାନ ରହିଛି ।
ଭାରତର ଆଭିମୁଖ୍ୟ ଓ ଭୋଟିଂ ସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କାମ୍ବୋଜ ସୂଚନା ଦେଇଛନ୍ତି । କହିଛନ୍ତି, "ଇସ୍ରାଏଲ ଓ ଗାଜା ମଧ୍ୟରେ ଦୀର୍ଘ 7ମାସରୁ ଅଧିକ ସମୟ ଧରି ସଂଘର୍ଷ ଜାରି ରହିଛି । ଏବେ ମାନବୀୟ ସଙ୍କଟ ଦେଖାଯାଇଛି । ସମଗ୍ର ଏରିଆରେ ଏବେ ଅସ୍ଥିରତା ଲାଗି ରହିଛି । ଏହି ସମୟରେ ଜାତିସଂଘ ଯେଉଁ ‘2728-ସଙ୍କଳ୍ପ’ ପାରିତ କରିଛି, ଏହା ଏକ ସକରାତ୍ମକ ପଦକ୍ଷେପ ଭାବେ ଆମେ ଦେଖୁଛୁ । ଭାରତ ଏହି ବିବାଦ ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ଓ ହିଂସା ଦ୍ବାରା ସାଧାରଣ ନାଗରିକ, ବିଶେଷ କରି ମହିଳା ଏବଂ ଶିଶୁଙ୍କ ବ୍ୟାପକ କ୍ଷତି ଘଟିଛି । ମାନବୟୀ ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍କଟ କେବେ ହେଲେ ଗ୍ରହଣୀୟ ନୁହେଁ ।"