କୋଲକାତା:ବାଂଲାଦେଶ ସାଂସଦଙ୍କୁ ହତ୍ୟା ମାମଲାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କ ଲୋମଟାଙ୍କୁରି ଉଠିବ । ସାଂସଦ ଅନଓ୍ବାରୁଲ ଆଜିମଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯାଇଥିଲା । ଏହାପରେ ତାଙ୍କ ଶରୀରରୁ ଚମଡ଼ା ଉତାରି ଖଣ୍ଡ ଖଣ୍ଡ କାଟି ଦିଆଯାଇଥିଲା । ଯେମିତି ମାଂସ ନ ସଢିବ ସେଥିପାଇଁ ହଳଦୀ ପକାଇ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିଲା । ଏହି ହାଇପ୍ରୋଫାଇଲ ମର୍ଡରରେ ସାଂସଦଙ୍କ ବନ୍ଧୁଙ୍କ ହାତ ରହିଛି । ସେ ୫ କୋଟି ସୁପାରି ଦେଇ ହତ୍ୟା କରାଇଥିଲେ । ଜଣେ କଂସେଇ ତାଙ୍କୁ ହାଣି ଖଣ୍ଡ ଖଣ୍ଡ କରିଥିଲା, ଯିଏକି ବାଂଲାଦେଶରୁ ଆସି ମୁମ୍ବାଇରେ ଅବୈଧ ଭାବେ ରହୁଥିଲା । ଏହା ଏକ ହନିଟ୍ରାପ ମାମଲା ହୋଇଥିବା ମଧ୍ୟ କୁହାଯାଉଛି ।
ସିଆଇଡି ହତ୍ୟାକାଣ୍ଡରେ ଜଡିତ ସେହି କଂସେଇକୁ ଗିରଫ କରିଥିବାବେଳେ ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ସ୍ଥିତ ଏକ ଫ୍ଲାଟରେ ସାଂସଦ ଆଜିମଙ୍କୁ ହତ୍ୟା କରାଯାଇଥିଲା । ସେହି ଫ୍ଲାଟଟି ଆଜିମଙ୍କ ବନ୍ଧୁଙ୍କର ଥିଲା, ଯିଏ ଏବେ ଆମେରିକାରେ ଅଛନ୍ତି । ପୋଲିସ ସିସିଟିଭି ଫୁଜେଟରୁ ଜାଣିବାକୁ ପାଇଛି ଯେ, ଶେଷ ଥର ପାଇଁ ସାଂସଦଙ୍କୁ ସେହି ଫ୍ଲାଟକୁ ଯିବା ସମୟରେ ଦେଖିବାକୁ ମିଳିଥିଲା । ତା' ପରଠୁ ସେ ନିଖୋଜ ହୋଇଯାଇଥିଲେ ।