ଚଣ୍ଡିଗଡ଼: ଭାରତ ହେଉଛି ବିବିଧ ପରମ୍ପରାର ଦେଶ । ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବପର୍ବାଣି ପାଳନ କରିବାର ଢଙ୍ଗ ଅଲଗା ଅଲଗା ରହିଥାଏ । ହୋଲିକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଭାରତର କୋଣ ଅନୁକୋଣରେ ଏହି ହୋଲି ପର୍ବକୁ ଧୁମଧାମରେ ପାଳନ କରାଯାଏ । ତେବେ ହୋଲିକୁ ନେଇ ହରିୟାଣାରେ ରହିଛି ଏକ ଭିନ୍ନ ପରମ୍ପରା । ଏଠାରେ ଏକ ନିଆରା ଢଙ୍ଗରେ ହୋଲି ମନାନ୍ତି ଲୋକ । ଯାହାକୁ କୋରଡା ମାର ହୋଲି (କୋଡା ମାର ହୋଲି) ବୋଲି କୁହାଯାଇଥାଏ ।
କେମିତି ଖେଳାଯାଏ କୋରଡ଼ା ମାର ହୋଲି?:- ହୋଲି ଦହନର ପର ଦିନ ହରିୟାଣା ପ୍ରଦେଶରେ ଏହି କୋରଡ଼ା ମାର ହୋଲି ଖେଳାଯାଇଥାଏ । ଏହି ଖେଳରେ ସମ୍ପର୍କରେ ହେଉଥିବା ଦିଅରଙ୍କ ସହ ଭାଉଜମାନେ ହୋଲି ପର୍ବ ମନାଇଥାନ୍ତି । ଭାଉଜଙ୍କ ଉପରେ ଦିଅରମାନେ ରଙ୍ଗ ଢାଳିବା ପରେ ଭାଉଜ କପଡାରେ ତିଆରି ହୋଇଥିବା କୋଡରେ ଦିଅରମାନଙ୍କୁ ବାଡାଇଥାନ୍ତି । ମାଡରୁ ବର୍ତ୍ତିବା ପାଇଁ ଦିଅରମାନେ ଗୋଟିଏ ହାତରେ ରଙ୍ଗ ବୋଳିବା ସହ ଅନ୍ୟ ହାତରେ ବାଡି ଧରି କୋଡା ମାଡରୁ ନିଜକୁ ବଞ୍ଚିାଇଥାନ୍ତି । ଏହି ଭିନ୍ନ ପରମ୍ପରାର ହୋଲି ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥାଏ । ଏହି ହୋଲି ଖେଳ ହରିୟାଣାର ଅଧିକାଂଶ ଜିଲ୍ଲାରେ ବହୁ ବର୍ଷ ପୂର୍ବରୁ ଖେଳା ଯାଇଆସୁଅଛି ।
ଏହା ମଧ୍ୟ ପଢ଼ନ୍ତୁ...2000କେଜି ଅଙ୍ଗୁର ସାଜସଜ୍ଜାରେ ଝଲସିଲେ ଗଜାନନ, ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ - Pune Dagdusheth Ganesh Temple
ଏହି କୋରଡା ମାର ହୋଲି ପର୍ବକୁ ନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଥାଏ । ଦିଅର ଓ ଭାଉଜ ମଧ୍ୟର ଖେଳାଯାଉଥିବା ଏହି ହୋଲିକୁ କେହି କେହି ଆଦର ଓ ସମ୍ମାନ ରୂପରେ ଦେଖୁଥିବା ବେଳେ ଅନ୍ୟ କେହି କେହି ଦିଅର ପ୍ରତି ଭାଉଜର ଥିବା ଭଲ ପାଇବା, ସ୍ନେହ ଓ ଶ୍ରଦ୍ଧାକୁ ଦର୍ଶାଇଥାନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେତେବେଳେ ଦିଅର, ଭାଉଜକୁ ରଙ୍ଗ ବୋଳିଥାଏ ସେତେବେଳେ ଭାଉଜ ରଙ୍ଗ ଠାରୁ ନିଜକୁ ଦୂରେଇ ରଖିବା ପାଇଁ କୋଡାର ବ୍ୟବହାର କରିଥାନ୍ତି । ଏହି କୋଡ଼ା କପଡାରେ ତିଆରି ହୋଇଥାଏ । ହୋଲି ଖେଳିବା ସମୟରେ ଏଥିରେ ମାରିବା ଦ୍ବାରା ଅଧିକ ଆଘାତ ଲାଗିନଥାଏ । ଏହାସହ ଦିଅରମାନେ ଭାଉଜଙ୍କ ଉପରେ ରାଗନ୍ତି ନାହିଁ । ତେବେ ଯେଉଁ ଲୋକମାନେ ପ୍ରଥମ ଥର ପାଇଁ କୋଡା ହୋଲି ଦେଖନ୍ତି ତ ସେମାନଙ୍କୁ ଲାଗେ କି ଭାଉଜ, ଦିଅରକୁ ମାଡ଼ ମାରୁଛନ୍ତି । ବେଳେ ବେଳେ ଏମିତି ବି ହୁଏ ଯେ, ଅନେକ ପୁରୁଷମାନେ ମାଡରେ ଲାଲ ପଡ଼ିଯାଆନ୍ତି । କିନ୍ତୁ ହୋଲିର ରଙ୍ଗ ଆଗରେ ସବୁ ଯେମିତି ଫିକା ପଡ଼ିଯାଏ । ଖୁସି ଉଲ୍ଲାସର ସହ ଏହି ପର୍ବକୁ ପାଳନ କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ