ଶିମଲା:ହିମାଚଳ ରାଜନୀତିରେ ନୂଆ ମୋଡ଼ ଆସିଛି । ଗୋଟିଏ ପଟେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସର 6 ବିଧାୟକ ସୁପ୍ରିମ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ହିମାଚଳ ସରକାର ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ କାଭିଟ ପିଟିସନ(ନିଷେଧ ପତ୍ର) ଦାଖଲ କରି ତାଙ୍କ ପକ୍ଷ ଶୁଣିବାକୁ ଅନୁରୋଧ କରିଛନ୍ତି । ଅଯୋଗ୍ୟ ଘୋଷିତ କରାଯାଇଥିବା ମାମଲାରେ କୌଣସି ଆଦେଶ ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବାକୁ ନିଷେଧ ପତ୍ରରେ ଦର୍ଶାଯାଇଛି । ତେବେ ଏହାର ଶୁଣାଣି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 12 ତାରିଖରେ ହେବ । ବାଚସ୍ପତି କୁଳଦ୍ବୀପ ସିଂ ପଠାନିଆଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଯୋଗ୍ୟ ଘୋଷିତ ବିଧାୟକ ।
ମଙ୍ଗଳବାର ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜିବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାରଙ୍କ ବେଞ୍ଚ ଏହି ଶୁଣାଣି କରିବେ । ପ୍ରକାଶଥାଉକି, କୌଣସି ପ୍ରତିବାଦୀ ପକ୍ଷ ବିରୋଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆବେଦନ ଗ୍ରହଣ କରିବା ନେଇ କ୍ୟାବିନେଟ ଯାଚିକା ଏହି ଅଧିକାର ପ୍ରଦାନ କରିଛି । ଏହି ଅଧିକାର ଆଧାରରେ ହିମାଚଳ ସରକାର କାଭିଟ ପିଟିସନ ଦାଖଲ କରିଛନ୍ତି । ତେବେ ଯୁକ୍ତିଯୁକ୍ତ ପ୍ରମାଣ ଆଧାରରେ ହିଁ ବିଧାନସଭା ବାଚସ୍ପତି 6ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ନେଇ ରାଜ୍ୟ ସରକାର ଯୁକ୍ତି କରିଛନ୍ତି ।