ଭୁବନେଶ୍ବର: 13 ତାରିଖରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଦେବ ଝାଡଖଣ୍ଡ । ଏଥର କଂଗ୍ରେସ-‘ଜେଏମଏମ’ ଓ ଆରଜେଡି ମହାମେଣ୍ଟ ସହିତ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର କଡା ମୁକାବିଲା ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି । ତେବେ ଓଡିଶାର ପଡୋଶୀ ରାଜ୍ୟ ଆଦିବାସୀବହୁଳ ଝାଡଖଣ୍ଡର ଏକାଧିକ ସ୍ଥାନରେ ରହିଛି ଓଡିଆ ଭାଷାଭାଷୀ ଭୋଟରଙ୍କ ପ୍ରଭାବ । ତେଣୁ ସେମାନଙ୍କ ଭୋଟ ହାତେଇବା ପାଇଁ ଏବେ ବିଭିନ୍ନ ଦଳ ଓଡିଶା ନେତାଙ୍କୁ ଗ୍ରାଉଣ୍ଡକୁ ପଠାଇଛନ୍ତି ।
ଓଡିଆ ଭାଷାଭାଷୀ ଭୋଟରଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଉଭୟ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ଓଡିଶା ନେତାମାନେ ଝାଡଖଣ୍ଡ ନିର୍ବାଚନରେ ପ୍ରଚାର ଅଭିଯାନ ଆରମ୍ଭ କରିସାରିଛନ୍ତି । ଝାଡଖଣ୍ଡର ଚାରୋଟି ଜିଲ୍ଲା,ପୂର୍ବ-ସିଂହଭୂମ, ପଶ୍ଚିମ-ସିଂହଭୂମ, ସରେଇକଳା-ଖରାସୁଆଁ ଏବଂ ସିମଡେଗା ଓଡିଆ ଭାଷାଭାଷୀ ଜନସଂଖ୍ୟା ଅଞ୍ଚଳ । ବିଶେଷ କରି କୋଲହନ ଏବଂ ଦକ୍ଷିଣ-ଛୋଟନାଗପୁର ଅଞ୍ଚଳର 16ଟି ବିଧାନସଭା ଆସନରେ ଓଡିଆ ଭାଷାଭାଷୀ ଭୋଟରଙ୍କ ଯଥେଷ୍ଟ ପ୍ରଭାବ ରହିଛି ।
- ଝାଡଖଣ୍ଡର ରାଜନୀତିର ପ୍ରମୁଖ କ୍ଷେତ୍ର
ଝାଡଖଣ୍ଡର ରାଜନୈତିକ କ୍ଷେତ୍ର ମୁଖ୍ୟତଃ ପାଞ୍ଚଟି ପ୍ରମୁଖ ଅଞ୍ଚଳରେ ବିଭକ୍ତ । ପାଲାମୁ, ସନ୍ତାଳପ୍ରଗଣା, ଉତ୍ତର-ଛୋଟନାଗପୁର, ଦକ୍ଷିଣ-ଛୋଟନାଗପୁର ଏବଂ କୋଲହନ । ପୂର୍ବ-ସିଂହଭୂମ, ପଶ୍ଚିମ-ସିଂହଭୂମ ଏବଂ ସାରାଇକଳା-ଖରସୁଆଁ ଜିଲ୍ଲାକୁ ଘେରି ରହିଥିବା କୋଲହାନ କ୍ଷେତ୍ର,14ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ । ସେଥିମଧ୍ୟରୁ 9ଟି ଆସନ ଅନୁସୂଚିତ ଜନଜାତି (ଏସଟି), ଗୋଟିଏ ଅନୁସୂଚିତ ଜାତି (ଏସସି) ପାଇଁ ସଂରକ୍ଷିତ ଥିବା ବେଳେ ଅନ୍ୟ ଚାରିଟି ଆସନ ଅଣସଂରକ୍ଷିତ ବର୍ଗ ପାଇଁ ରହିଛି । ସେହିପରି ଦକ୍ଷିଣ-ଛୋଟନାଗପୁର କ୍ଷେତ୍ର ଅଧୀନରେ ଥିବା ସିମଡେଗା ଜିଲ୍ଲାର ଦୁଇ ବିଧାନସଭା ଆସନ ସିମଡେଗା ଏବଂ କୋଲେବିରା ଓଡିଶାର ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ମଧ୍ୟ ।
- ମୈଦାନରେ ଓଡିଆ ପ୍ରାର୍ଥୀ:-
ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ପ୍ରାର୍ଥୀମାନେ ଓଡିଶା ଲିଙ୍କ୍ ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ବିଶେଷ କରି ଏହି ଓଡିଆ ଫ୍ୟାକ୍ଟରର ସର୍ବାଧିକ ପ୍ରଭାବ ପୂର୍ବ-ସିଂହଭୂମର ବାହାରାଗୋରା ଆସନରେ ଦେଖିବାକୁ ମିଳିପାରେ । ଓଡିଆ ପୃଷ୍ଠଭୂମିରୁ ଆସୁଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ଜଣେ ବର୍ତ୍ତମାନ ବିଧାୟକ ସମୀର ମହାନ୍ତି ଏଥର ପୁଣିଥରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କୁ ପୂର୍ବତନ ବିଧାୟକ କୁନାଲ ଷଡଙ୍ଗୀଙ୍କ ସମର୍ଥନ ମଧ୍ୟ ରହିଛି । କୁନାଲ ମଧ୍ୟ ହେଉଛନ୍ତି ଜଣେ ଓଡିଆ ଭାଷାଭାଷୀ ରାଜନେତା ।
- ବିଜେପି ମଧ୍ୟ ପଛରେ ନାହିଁ:-
ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ଧାରାରେ ପଛରେ ନାହିଁ । ଏହି ଧାରାରେ ବିଜେପି ଓଡିଶାର ଏକାଧିକ ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି । ନିଜେ ଆଦିବାସୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦଳର 40 ଜଣିଆ ତାରକା ପ୍ରଚାରକ ତାଲିକାରେ ରହିଛନ୍ତି । ସେ ମଧ୍ୟ ଆଜି କିମ୍ବା ଆସନ୍ତାକାଲି ଝାଡଖଣ୍ଡ ଗସ୍ତ କରି ସେଠାରେ ଦଳୀୟ ପ୍ରଚାର ଆରମ୍ଭ କରିପାରନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ତଥା ଓଡିଶା ବିଜେପିର ଅନ୍ୟତମ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାଡଖଣ୍ଡ ଗସ୍ତ କରି ଦଳ ପାଇଁ ପ୍ରଚାର କରିବେ ।
- ହେମନ୍ତ ସୋରେନ ପରିବାରର ରହିଛି ଓଡିଶା ଲିଙ୍କ୍
ଏହି ଧାରାରେ ଶାସକ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’ ମଧ୍ୟ ବେଶୀ ପଛରେ ନାହିଁ । ଦଳର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମୂଳତଃ ଓଡିଶାର ହୋଇଥିବା ବେଳେ ହେମନ୍ତଙ୍କ ଭଉଣୀ ଅଞ୍ଜଳି ମଧ୍ୟ ଏକ ଓଡିଆ ପରିବାରରେ ବିବାହ କରିଛନ୍ତି । କେବଳ ବିବାହ ନୁହେଁ ବରଂ ଅଞ୍ଜଳି 2019 ଏବଂ 2024 ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରୁ ଲୋକସଭା ନିର୍ବାଚନ ମଧ୍ୟ ଲଢିଥିଲେ ।
ଏହା ମଧ୍ୟ ପଢନ୍ତୁ:- ବୋହୂ ପାଇଁ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ |
- ଜାମସେଦପୁର-ପୂର୍ବ ଆସନର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କର ରହିଛି ଓଡିଶା କନେକ୍ସନ:-
ଝାଡଖଣ୍ଡର ଚର୍ଚ୍ଚିତ ଜାମସେଦପୁର-ପୂର୍ବ ଆସନର ମଧ୍ୟ ରହିଛି ଓଡିଶା ଲିଙ୍କ୍ । ଏଠାରୁ ଓଡିଶା ରାଜ୍ୟପାଳଙ୍କ ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାଶଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଅଜୟ କୁମାର । ଓଡିଶା କଂଗ୍ରେସ ନେତାମାନେ ମଧ୍ୟ ଅଜୟଙ୍କ ପାଇଁ ପ୍ରଚାର କରିବା ପାଇଁ ଝାଡଖଣ୍ଡ ଗସ୍ତ କରିଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସମ୍ଭାବ୍ୟ ପିସିସି ସଭାପତି ତାଲିକାରେ ଥିବା ମହମ୍ମଦ ମୋକିମ ଝାଡଖଣ୍ଡରେ ପ୍ରଚାର ଜାରି ରଖିଛନ୍ତି । ଅନ୍ୟ କିଛି କଂଗ୍ରେସ ନେତା ମଧ୍ୟ ନିକଟରେ ଝାଡଖଣ୍ଡ ଗସ୍ତ କରିବେ ।
- ଓଡିଆ ଭୋଟରଙ୍କ ପ୍ରଭାବ ଥିବା ପ୍ରମୁଖ ଅଞ୍ଚଳ
କୋଲହନ କ୍ଷେତ୍ରର ପୂର୍ବ-ସିଂହଭୂମ, ପଶ୍ଚିମ-ସିଂହଭୂମ, ସରେଇକଳା-ଖାରସୁଆଁ ଜିଲ୍ଲାର 14ଟି ବିଧାନସଭା ଆସନ ଏହି ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । କେବଳ ପୂର୍ବ-ସିଂହଭୂମର ବାହରାଗୋରା, ଘାଟିଲା, ପୋଟକା, ଜଗସଲାଇ, ଜାମସେଦପୁର-ପୂର୍ବ ଏବଂ ଜାମସେଦପୁର-ପଶ୍ଚିମ ଭଳି ନିର୍ବାଚନମଣ୍ଡଳୀରେ ଓଡିଆ ଭାଷାଭାଷୀ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ ହେବେ ବୋଲି ଆଶା କରାଯାଉଛି ।
ସେହିପରି ସରେଇକେଲା-ଖରସୁଆଁ ଜିଲ୍ଲାର ଇଚ୍ଛାଗଡ, ସରେଇକଳା ଏବଂ ଖରସୁଆଁ ସମେତ ପଶ୍ଚିମ-ସିଂହଭୂମ ଜିଲ୍ଲାର ଚାଇବାସା, ମଜଗାଓଁ, ଜଗନ୍ନାଥପୁର, ମନୋହରପୁର, ଏବଂ ଚକ୍ରଧରପୁର, କୋଲହାନରେ ଓଡିଆ ଭାଷାଭାଷୀ ଭୋଟର ମଧ୍ୟ ଫଳାଫଳକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଝାଡଖଣ୍ଡ ସିମଡେଗା ଜିଲ୍ଲାରେ ସିମଡେଗା ଏବଂ କୋଲେବିରା ନିର୍ବାଚନମଣ୍ଡଳୀରେ ମଧ୍ୟ ଓଡିଆ ଭୋଟରଙ୍କ ଦ୍ୱାରା ପ୍ରଭାବ ରହିଛି ।
- ନିର୍ବାଚନ ସୂଚୀ
ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ୮୧ ବିଶିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନଭେମ୍ବର ୨୩ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ଜାତୀୟ କଂଗ୍ରେସ ,ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ କମ୍ୟୁନିଷ୍ଟ ପାର୍ଟି ଗଠବନ୍ଧନ ସହ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର ମୁକାବିଲା ହେବାକୁ ଯାଉଛି ।
- ‘ଜେଏମଏମ’ ସରକାରରେ ପ୍ରବାସୀ ଓଡ଼ିଆ ଅବହେଳିତ: ପୃଥ୍ବୀରାଜ
ବିଜେପି ନେତା ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଜେଏମଏମ ସରକାରରେ ପ୍ରବାସୀ ଓଡ଼ିଆ ଝାଡଖଣ୍ଡରେ ଅବହେଳିତ ଭାବେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ପ୍ରବାସୀ ଓଡିଆଙ୍କ ଶିକ୍ଷା କ୍ଷେତ୍ରର ଦୂରାବସ୍ଥା ଦେଖିକି ଆସିଛନ୍ତି । ଝାଡଖଣ୍ଡର ପ୍ରବାସୀ ଓଡ଼ିଆଙ୍କ ପ୍ରତି ବିଜେଡି ସରକାର ଏହାକୁ ଅଣଦେଖା ପ୍ରଦର୍ଶନ କରୁଥିଲେ । ସେ ଦୃଷ୍ଟିକୋଣରୁ କଣ ହୋଇପାରିବ ଆମେ ଚିନ୍ତା କରୁଛୁ । ଲମ୍ବା ସମୟ ଧରି ସେଠାରେ ଥିବା ଦୁର୍ନୀତି ଓ ଅରାଜକତା ବିରୋଧରେ ଏଥର ଭୋଟ ଯିବ ।"
- ରାଜ୍ୟକୁ ଗୁରୁତ୍ୱ ନଦେଇ ଝାଡଖଣ୍ଡରେ ପ୍ରଚାର କରୁଛନ୍ତି ରାଜ୍ୟ ବିଜେପି ନେତା: ବିଜେଡି
ବିଜେଡି ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି, "ଆସନ୍ତା 20 ତାରିଖରେ ହେବାକୁ ଥିବା ଦୁଇଟି ରାଜ୍ୟର ନିର୍ବାଚନର ଫଳାଫଳ ବିଜେପି ଲାଗି ଗୁରୁତ୍ୱପୂର୍ଣ୍ଣ । ବିଜେପି ଓଡିଶାରେ ଯେମିତି ଆଶାତୀତ ସଫଳତା ପାଇଛି, ତାହା ଝାଡଖଣ୍ଡରୁ ଆଶା କରୁଛନ୍ତି । ଓଡିଶାରେ ସରକାର ପରିବର୍ତ୍ତନର ପ୍ରଭାବ ଝାଡଖଣ୍ଡର ମତଦାତାଙ୍କ ଉପରେ ପକାଇବାକୁ ବିଜେପି ଉଦ୍ୟମ କରୁଛି । ସେଥିପାଇଁ ସେଠାରେ ଓଡ଼ିଶାର ନେତା, ମନ୍ତ୍ରୀ ଓ ବିଧାୟକ ଡେରା ପକାଇଛନ୍ତି । ଓଡିଶାରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି । ରାଜ୍ୟକୁ ଗୁରୁତ୍ୱ ନଦେଇ ଦଳ ନିର୍ଦ୍ଦେଶରେ ଝାଡଖଣ୍ଡରେ ଅଛନ୍ତି ବିଜେପି ନେତା । ଅନାହାର ମୃତ୍ୟୁ, ମହିଳା ବିରୋଧୀ ହିଂସା ରାଜ୍ୟରେ ବଢି ଚାଲିଛି ।"
ଇଟିଭି ଭାରତ, ଭୁବନେଶ୍ବର