ଚଣ୍ଡିଗଡ: ବିଜେପି ଶାସିତ ଉତ୍ତର-ଭାରତୀୟ ରାଜ୍ୟ ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ହେଉଛି । ଗୋଟିଏ ପର୍ଯ୍ୟାୟରେ ସମସ୍ତ 90 ଆସନରେ ଭୋଟିଂ ଆରମ୍ଭ ହୋଇଛି । ଶାସକ ବିଜେପି ସମେତ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ମୋଟ 1,031 ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ 101 ଜଣ ମହିଳା ଓ 464 ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ମୋଟ 2.03 କୋଟି ପଞ୍ଜୀକୃତ ମତାଦାତା ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ 7ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଅନ୍ୟ ବରିଷ୍ଠ ନେତାମାନେ ସକାଳୁ ମତଦାନ କେନ୍ଦ୍ରରେ ନଜର ଆସିଛନ୍ତି ।
- 20 ହଜାର ବୁଥରେ ମତଦାନ:
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରଓ୍ବାଲ ଗଣମାଧ୍ୟମରେ ରଖିଥିବା ତଥ୍ୟ ଅନୁସାେରେ, ରାଜ୍ୟର ମୋଟ 2,03,54,350 ପଞ୍ଜୀକୃତ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ । ମୋଟ 20,632 ବୁଥରେ ମତଦାନ ପାଇଁ ବ୍ୟବସ୍ଥା ହୋଇଛି । ଏହା ମଧ୍ୟରେ ପଞ୍ଚକୁଲା ଓ କଲକା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 455 ବୁଥ୍ ରହିଛି । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି ।
- 8 ତାରିଖରେ ଜନାଦେଶ
ସଂଧ୍ୟା 6ଟାରେ ମତଦାନ ଶେଷ ହେବା ପରେ ‘ଇଭିଏମ’ ଓ ‘ଭିଭିପ୍ୟାଟ୍’ କୁ ପ୍ରୋଟୋକଲ ଅନୁସାରେ, ଷ୍ଟ୍ରଙ୍ଗରୁମରେ ରଖାଯିବ । 8 ତାରିଖ ସକାଳୁ ଭୋଟଗଣତି ଆରମ୍ଭ ହେବ । ଅପରାହ୍ନରେ ଫଳାଫଳ ଘୋଷଣା ହେବ । ଆଜି ଭୋଟିଂ ସରିବା ପରେ ସଂଧ୍ୟାରେ ଗଣମାଧ୍ୟମ ଓ ପୋଲ ଓ୍ବାଚ ସଂସ୍ଥାମାନେ ସେମାନଙ୍କ ‘ଏକଜିଟ ପୋଲ’ ବା ବୁଥବାହୁଡା ଜନମତ ପ୍ରକାଶ କରିପାରିବେ ।
- ‘ବିଜେପି’କୁ ସତ୍ତା ବିରୋଧୀ ହାଓ୍ବା ଚିନ୍ତା
ଗେରୁଆ ଦଳ ଏଠାରେ ଗତ 10 ବର୍ଷ ଧରି କ୍ଷମତାରେ ରହିଛି । କଂଗ୍ରେସଠାରୁ କ୍ଷମତା ଛଡାଇ ବିଜେପି 2014 ନିର୍ବାଚନରେ ହରିୟାଣାରେ ସରକାର ଗଠନ କରିଥିଲା । 2019 ରେ ପୁଣି ଦଳ ଏଠାରେ କ୍ଷମତା ଦଖଲ କରିବାରେ ସଫଳ ହୋଇଥିଲା । ଉଭୟ ନିର୍ବାଚନ ପରେ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2024 ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ମନୋହର ଲାଲ ଖଟ୍ଟରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ବିଶ୍ରାମ ଦେଇ ଲୋକସଭା ନିର୍ବାଚନ ଲଢାଇଲା । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି ନାଏବ ସିଂହ ସୈନୀ । ଅନ୍ୟପଟେ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ମନୋହର ଲାଲ ଖଟ୍ଟର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ।