ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଜାନୁଆରୀ 31ରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ଏହି ଅଧିବେଶନରେ ଅନ୍ତରୀଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଏହା ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ‘ହାଲଓ୍ବା ସେରିମନି’ ଆୟୋଜନ କରାଯାଇଛି । କେନ୍ଦ୍ରୀୟ ସଚିବାଳୟର ନର୍ଥ-ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିବା ବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ ଓ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି କାର୍ଯ୍ୟକ୍ରମ ହେଉଛି ବଜେଟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ । ଏହା ପରେ ବଜେଟ ମୁଦ୍ରିତ ହେବା କାମ ଆରମ୍ଭ ହେବ । ପୂର୍ବ 3 ବଜେଟ ପରି ଚଳିତ ଥର ମଧ୍ୟ ସଂସଦରେ ପେପରଲେସ ପ୍ରକ୍ରିୟାରେ ବଜେଟ ଆଗତ ହେବ । ହେଲେ ଚଳିତଥର ଅନ୍ତରୀଣ ବଜେଟ ଆଗତ କରିବେ ନିର୍ମଳା ସୀତାରମଣ । ଜାନୁଆରୀ 31 ରେ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଫେବୃଆରୀ ପହିଲାରେ ବଜେଟ ଆଗତ କରିବେ ସୀତାରମଣ । ଲୋକସଭା ନିର୍ବାଚନ ଚଳିତ ଏପ୍ରିଲ-ମେ’ ମଧ୍ୟରେ ହେବାକୁ ଯାଉଥିବା ବେଳେ ଚଳିତମାସ (ଜାନୁଆରୀ) 31 ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ 1 ରେ ବଜେଟ ଉପସ୍ଥାପିତ ହେବା ସହ 9 ତାରିଖରେ ଏହି ଅଧିବେଶନ ଶେଷ ହେବ । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କ ନିର୍ମାଳ ସୀତାରମଣଙ୍କ ସହ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ.ଭାଗବତ କ୍ରିଷ୍ଣାରାଓ କାରାଦ ଓ ବଜେଟ ପ୍ରସ୍ତୁତିରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।