ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) ବୁଧବାର ସର୍ଭେ ରିପୋର୍ଟ ଦାଖଲ କରିବା ପରେ ମସଜିଦ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଏଏସଆଇ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ଏହି ମସଜିଦ ନିର୍ମାଣ ହେବା ପୂର୍ବରୁ ସେଠାରେ ଏକ ବଡ଼ ହିନ୍ଦୁ ମନ୍ଦିର ଥିଲା । ହେଲେ ଏହି ବିବାଦୀୟ ସ୍ଥାନରେ ଏବେ ମୁସଲିମ ଧର୍ମାବଲମ୍ବୀଙ୍କ ଦ୍ବାରା ଜୁମା (ପ୍ରତି ଶୁକ୍ରବାର ହେଉଥିବା ପ୍ରାର୍ଥନା ସଭା) ପାଠ କରାଯାଉଛି । ତେବେ କୌଣସି ବିଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ମସଜିଦ ପରିସରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆଜି ଶୁକ୍ରବାର ହୋଇଥିବାରୁ ଉକ୍ତ ସ୍ଥାନରେ ଯେପରି କୌଣସି ବିଶୃଙ୍ଖଳିତ ସ୍ଥିତି ନ ଉପୁଜେ, ସେଥିଲାଗି ମିଡିଆ ମଧ୍ୟ ଦୂରତ୍ବ ଅବଲମ୍ବନ କରିଛି । ଏଏସଆଇ ଜାନୁଆରୀ ୨୪ ତାରିଖରେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ସପ୍ତଦଶ ଶତାବ୍ଦୀରେ ବିବାଦୀୟ ସ୍ଥାନରେ ଏକ ବଡ଼ ମନ୍ଦିର ରହିଥିଲା । ହେଲେ ଏହାକୁ ଭଙ୍ଗାଯାଇ ଉକ୍ତ ସ୍ଥାନରେ ମସଜିଦ ନିର୍ମାଣ କରାଯାଇଥିଲା । ଏପରିକି ମନ୍ଦିରର କିଛି ସ୍ତମ୍ଭ ଉପରେ ମସଜିଦ ନିର୍ମାଣ କରାଯାଇଥିବା ଏଏସଆଇ ରିପୋର୍ଟରେ ଦର୍ଶାଇଛି । ମସଜିଦର ଏକ କୋଠରୀ ମଧ୍ୟରେ ଆରବ-ପାର୍ସି ଭାଷାରେ ଲିଖିତ ଏକ ଶିଳାଲିପି ରହିଛି, ଯେଉଁଥିରେ ମସଜିଦକୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଶାସନ କାଳ (1676-77 CE) ମଧ୍ୟରେ ନିର୍ମାଣ କରାଯାଇଥିବା ଉଲ୍ଲେଖ ରହିଛି ।
ଏହା ବି ପଢନ୍ତୁ- ଜ୍ଞାନବ୍ୟାପୀ ମସଜିଦରେ ASIର ସର୍ଭେ ଶେଷ, ଉଭୟ ପକ୍ଷଙ୍କୁ ମିଳିବ ରିପୋର୍ଟ କପି
ଏଥିରୁ ସ୍ପଷ୍ଟ ଯେ ସପ୍ତଦଶ ଶତାବ୍ଦୀରେ ମନ୍ଦିରକୁ ଭଙ୍ଗାଯାଇ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ମସଜିଦ ନିର୍ମାଣ କରାଯାଇଛି । ମନ୍ଦିରର କିଛି ଭଗ୍ନାଂଶ ଉପରେ ମସଜିଦ ନିର୍ମାଣ କରାଯାଇଛି ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉ କି ବାରାଣାସୀ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଏହି ମସଜିଦ ହିନ୍ଦୁ ମନ୍ଦିରର ମୂଳଢାଞ୍ଚା ଉପରେ ନିର୍ମାଣ ହୋଇଥିବା ଅଭିଯୋଗ କରିଆସୁଛି ଏଏସଆଇ । ଏପରିକି ଏହି ମସଜିଦ ପରିସର ମଧ୍ୟରେ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଥିବା ଦାବି ହୋଇଛି ।
ଏହା ବି ପଢନ୍ତୁ- ଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି
ତେବେ ଗତବର୍ଷ ମସଜିଦରେ ଭିଡିଓଗ୍ରାଫି ସର୍ଭେ ବେଳେ ଏକ ଶିବଲିଙ୍ଗ ଠାବ ହୋଇଥିବା ହିନ୍ଦୁପକ୍ଷ ଦାବି କରିଥିଲା । ଏଠାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ହିନ୍ଦୁପକ୍ଷଙ୍କ ଦ୍ବାରା କରାଯାଇଥିଲା । ମାତ୍ର ଗତ ୨୦୨୨ ମସିହା ମେ ୧୬ ତାରିଖରେ ବାରାଣସୀ ସିଭିଲ କୋର୍ଟ ମସଜିଦର କିଛି ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରିଥିଲେ । ତେବେ ସେହି ସ୍ଥାନରେ ଥିବା ଏକ ପାଣିଟାଙ୍କିର ରକ୍ଷାଣବେକ୍ଷଣ ଓ ସଫେଇ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେବା ପାଇଁ ୪ ଜଣ ହିନ୍ଦୁ ମହିଳା ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ । ଗତ ୧୬ ତାରିଖରେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ପାଣିଟାଙ୍କି ସଫେଇକୁ ଅନୁମତି ପ୍ରଦାନ କରିଥିଲେ । ଏହାପରେ ମସଜିଦରେ ଜାରି ରଖିଥିବା ସର୍ଭେ ଶେଷ ହେବା ପରେ ଚଳିତ ମାସ ୨୪ ତାରିଖରେ ଏଏସଆଇ ସର୍ଭେ ରିପୋର୍ଟ ଦାଖଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ