ଚଣ୍ଡିଗଡ଼: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି ଦେଶ । ସେ ଦେଶର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଥିଲେ । ସେଥିପାଇଁ ସବୁ ସମୟରେ ପଗଡି ପରିଧାନ କରୁଥିଲେ ମନମୋହନ । ହେଲେ ସେ ନୀଳ(Blue)ରଙ୍ଗ ପଗଡି କାହିଁକି ପରିଧାନ କରୁଥିଲେ ଜାଣନ୍ତି କି ? ଆସନ୍ତୁ ନଜର ପକାଇବା ।
ବ୍ଲୁ ଟର୍ବାନ ରହସ୍ୟ:
ଫିକା ନୀଳ ରଙ୍ଗର ପଗଡିରେ ମନମୋହନ ସିଂଙ୍କୁ ଦେଖିବାକୁ ମିଳୁଥିଲା । ସେ ନିଜେ ଥରେ ଏହା ପଛର କାରଣ ସମ୍ପର୍କରେ ଜଣାଇଥିଲେ । ମନମୋହନ କହିଥିଲେ, "ଏହି ବ୍ଲୁ ଟର୍ବାନ(ପଗଡି) ହେଉଛି କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରତି ମୋର ସମ୍ମାନ ।"
ୟୁନିଭର୍ସିଟିରେ 'ବ୍ଲୁ ଟର୍ବାନ' ନାଁରେ ପରିଚିତ ଥିଲେ ମନମୋହନ:
2006ରେ ଯେତେବେଳେ ମନମୋହନ ସିଂ ଡକ୍ଟରେଟ୍ ଅଫ୍ ଲ' ଉପାଧିରେ ସମ୍ମାନିତ ହୋଇଥିଲେ ସେହି ସମୟରେ ବ୍ଲୁ ପଗଡିର ରାଜ୍ ଖୋଲିଥିଲେ । ମନମୋହନ ସିଂ କହିଥିଲେ, "ଏହି ରଙ୍ଗ ମୋର ସବୁଠୁ ଅଧିକ ପ୍ରିୟ ।" ତେବେ ସବୁବେଳେ ନୀଳ ରଙ୍ଗର ପଗଡି ପରିଧାନ କରୁଥିବାରୁ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ତାଙ୍କର ସହପାଠୀମାନେ 'ବ୍ଲୁ ଟର୍ବାନ' ବୋଲି ମନମୋହନଙ୍କୁ ସମ୍ବୋଧନ କରୁଥିଲେ । କଲେଜ ସମୟର ସେହି 'ବ୍ଲୁ ଟର୍ବାନ' ନାମକୁ ନେଇ ତାଙ୍କର ମଧୁର ସ୍ମୃତି ଜଡିତ ରହିଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବି ସେ ଏହି ନୀଳ ରଙ୍ଗର ପଗଡି ହିଁ ପରିଧାନ କରୁଥିଲେ ।