ମୁମ୍ବାଇ:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ । ଆଜି(ଶୁକ୍ରବାର) ଭୋର୍ ୩ଟା ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ବୁଧବାର ଦିନ ଯୋଶୀଙ୍କୁ ହୃଦଘାତ ଆସିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ ଶେଷରେ ଆଜି ଭୋର୍ ସମୟରେ ତାଙ୍କର ପରଲୋକ ଘଟିଥିବା ଖବର ଆସିଛି ।
ସୂଚନା ମୁତାବକ, ଗତ ୨୧ ତାରିଖ ଦିନ(ବୁଧବାର) ହଠାତ୍ ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ଆସିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଏହି ଖବର ପାଇ ଶିବସେନା ନେତା ଉଦ୍ଧବ ଠାକରେ ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଯୋଶୀଙ୍କ ରାଜନୈତିକ ଜୀବନ ଖୁବ୍ ଲମ୍ବା ରହିଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(RSS) କାର୍ଯ୍ୟକର୍ତ୍ତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଯୋଶୀ । ଏହାପୂର୍ବରୁ ସେ ମୁମ୍ବାଇ ନଗର ନିଗମର ନଗରସେବକ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ହେଲେ ବିଗତ କିଛି ଦିନ ହେଲା ସେ ରାଜନୀତିରେ ସକ୍ରିୟ ନଥିଲେ ।