ଓଡିଶା

odisha

ETV Bharat / bharat

ପଦ୍ମ ଧରିଲେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, କହିଲେ 'ଦୁର୍ନୀତିଗ୍ରସ୍ତ TMCକୁ ଉପାଡ଼ି ଫିଙ୍ଗି ଦେବୁ'

Former HC Judge Abhijit Gangopadhyay Joins BJP: ପଦ୍ମ ଧରିଲେ କୋଲକାତା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ । 5 ତାରିଖରେ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

ପଦ୍ମ ଧରିଲେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, କହିଲେ TMCକୁ ଉପାଡି ଫିଙ୍ଗିଦେବୁ
ପଦ୍ମ ଧରିଲେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, କହିଲେ TMCକୁ ଉପାଡି ଫିଙ୍ଗିଦେବୁ

By ETV Bharat Odisha Team

Published : Mar 7, 2024, 5:18 PM IST

କୋଲାକାତା:କୋଲକାତା ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେବାର ଦୁଇଦିନ ପରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି ଅଭିଜିତ ଗଙ୍ଗୋପାଧ୍ୟାୟ । କୋଲକାତା ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଓ ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ଯୋଗଦାନ ବିଜେପିକୁ ସଶକ୍ତ କରିବ ବୋଲି ଦଳ କହିଛି । ତେବେ ଇସ୍ତଫା ଦେବା ପୂର୍ବରୁ ସେ ତୃଣମୂଳ କଂଗ୍ରେସରେ ମିଶିବେ ନାହିଁ ବୋଲି ଅଭିଜିତ ସ୍ପଷ୍ଟ କରିସାରିଥିଲେ । ଇସ୍ତଫା ଦେବା ଦିନ ସେ 7 ତାରିଖରେ ବିଜେପିରେ ସାମିଲ ହେବା ନେଇ ସୂଚନା ମଧ୍ୟ ଦେଇ ସାରିଥିଲେ ।

ଆଜି ପଦ୍ମ ଧରିବା ପରେ ମମତାଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ବିରୋଧରେ ବର୍ଷିଛନ୍ତି ଅଭିଜିତ । କହିଛନ୍ତି,‘‘ ମୁଁ ଏବେ ଏକ ଭିନ୍ନ କ୍ଷେତ୍ରରେ ଯୋଗଦାନ କରିଛି । ଏହା ମୋ ପାଇଁ ଏକ ଭିନ୍ନ ଅବସର । ବିଜେପି ଏକ ଜାତୀୟ ଦଳ, ଏଥିରେ ଯୋଗଦାନ କରିବା ମୋ ପାଇଁ ଏକ ଆନନ୍ଦର ବିଷୟ । ଦଳର ଜଣେ ସୈନିକ ଭାବେ କାମ କରିବି । ରାଜ୍ୟରେ ଶାସନ ବ୍ୟବସ୍ଥାରୁ ଦୁର୍ନୀତିଗ୍ରସ୍ତ ତୃଣମୂଳ କଂଗ୍ରେସକୁ ଉପାଡ଼ି ଫିଙ୍ଗିବା ଆମର ଏକମାତ୍ର ଲକ୍ଷ୍ୟ ଓ ଏଥିରେ ଆମେ ସଫଳ ମଧ୍ୟ ହେବୁ ।’’ ଆଜି ସକାଳୁ ବିଜେପି ନେତା ସଜଲ ଘୋଷ ଓ ବିଧାୟକ ଅଗ୍ନିମିତ୍ର ପଲ ନିଜ ସମର୍ଥକଙ୍କ ସହ ପୂର୍ବତନ ଜଷ୍ଟିସ ଅଭିଜତଙ୍କ ବାସଭବନରେ ପହଞ୍ଚିଥିଲେ । ଏହା ପରେ ସମସ୍ତେ ଏକ ରୋଡ ସୋ’ରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ଅଭିଜିତଙ୍କୁ ଜୋରଦାର ସ୍ବାଗତ ସହ ମିଶ୍ରଣ ପର୍ବ ଶେଷ ହୋଇଥିଲା ।

ତେବେ ନ୍ୟାୟିକ ସେବା ଜୀବନରୁ ଅବ୍ୟାହତି ନେବା ପୂର୍ବରୁ ମଧ୍ୟ ଜଷ୍ଟିସ ଅଭିଜିତ ବେଶ ଚର୍ଚ୍ଚିତ ଓ ବିବାଦୀୟ ଥିଲେ । ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାର ଶୁଣାଣି କରୁଥିବା ଏହି ବରିଷ୍ଠ ବିଚାରପତି ଗଣମାଧ୍ୟମରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ସେତେବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ମାମଲା ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଉଚ୍ଚ ନ୍ୟାୟଳୟର କେହି କାର୍ଯ୍ୟରତ ବିଚାରପତି ବିଚାରାଧୀନ ମାମଲା ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା କିମ୍ବା ଟିପ୍ପଣୀ ରଖିବା ଅନୁଚିତ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । କେବଳ ଏହି ପ୍ରସଙ୍ଗ ନୁହେଁ, ବରଂ ଅନ୍ୟ କିଛି ମାମଲାରେ ମଧ୍ୟ ଟିଏମସିକୁ ସେ ପରୋକ୍ଷ ସମାଲୋଚନା କରିଥିଲେ । ଏହା ପରେ ଟିଏମସି ମଧ୍ୟ ତାଙ୍କୁ ପାଲଟା ସମାଲୋଚନା କରିବାର କୌଣସି ଅବସର ଛାଡିନଥିଲା ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ‘ଧାରା 370 ନେଇ ଭ୍ରମିତ କରାଯାଉଥିଲା, ଏବେ ଖୋଲା ପବନର ନିଶ୍ବାସ ନେଉଛି କାଶ୍ମୀର’

ସେ ଗତ 5 ତାରିଖରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଇସ୍ତଫାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ପ୍ରେସମିଟ କରି ବିଜେପିରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଥିଲେ । ଆଜି ସେ ପଦ୍ମ ଧରିଛନ୍ତି । ବିଜେପି ଟିକେଟରେ ସେ ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details