ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ତାଙ୍କ ସହିତ ଦୁଇ ଜଣ ଆଇପିଏସ୍ ଅଧିକାରୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ ତଥା ପୂର୍ବତନ ସାଂସଦ କେ ରଘୁରାମ କୃଷ୍ଣ ରାଜୁ ଏହି ୩ ଜଣଙ୍କ ବିରୋଧରେ ଗୁଣ୍ଟୁର ଥାନାରେ ଏତଲା ରୁଜୁ କରିଛନ୍ତି । ଏପଟୋ ପୋଲିସ ଘଟଣାରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ରହିଛି ।
କେ ରାଜୁ ଅଭିଯୋଗ କରିଛନ୍ତି ଯେ, ଜଗନ ରେଡ୍ଡୀ ଏବଂ ଆଇପିଏସ୍ ଅଧିକାରୀ ପିଭି ସୁନୀଲ କୁମାର ଓ ପୂର୍ବତନ ଗୁଇନ୍ଦା ମୁଖ୍ୟ ପିଏସ୍ଆର ସୀତାରାମଞ୍ଜନେୟୁଲୁ ମିଶି ତାଙ୍କୁ ହତ୍ୟା କରିବା ପାଇଁ ଅପରାଧିକ ଷଡଯନ୍ତ୍ର ରଚିଥିଲେ । ବିଧାୟକଙ୍କ ଏତଲା କ୍ରମେ ପୋଲିସ IPCର ୧୨୦B, 166, 167, 197, 307 (ହତ୍ୟା ଉଦ୍ୟମ), ୩୨୬ (ମାରଣାସ୍ତ୍ରରେ ଗଭୀର ଆଘାତ ଦେବା), ୪୬୫ (ଠକେଇ), ୫୦୮, ଓ ୩୪ ଧାରାରେ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଜଗନ ରେଡ୍ଡୀଙ୍କ ବିରୋଧରେ ଏହା ପ୍ରଥମ ମାମଲା ।
ସୂଚନା ଥାଉକି, ପିଭି ସୁନୀଲ କୁମାର ପୂର୍ବରୁ ସିଆଇଡି ଡିଜି ରହିଥିଲେ । ନିଜ ଏତଲାରେ ରଘୁରାମ ଦର୍ଶାଇଛନ୍ତି ଯେ, ତତ୍କାଳୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିବି-ସିଆଇଡି ତାଙ୍କ ବିରୋଧରେ ଏକ ମିଛ ମାମଲା ରୁଜୁ କରିଥିଲା । ୨୦୨୧ ମେ' ୧୪ରେ ତାଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯିବା ସହ ହତ୍ୟା ଉଦ୍ୟମ କରାଯାଇଥିଲା । ତେବେ ଏହି ଘଟଣାରେ ଜଣେ ମେଡିକାଲ ଅଫିସରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଗୁଣ୍ଟୁର ପୋଲିସ ସୂଚନା ଦେଇଛି ।