ନୂଆଦିଲ୍ଲୀ: ‘ଦିଲ୍ଲୀ ଚଲୋ ଡାକରା’ ଦେଇ ପଞ୍ଜାବ ଓ ହରିୟାଣାରୁ ଲକ୍ଷାଧିକ ସଂଖ୍ୟାରେ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନଙ୍କୁ ରୋକିବା ପାଇଁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ପୋଲିସ । ଦିଲ୍ଲୀରୁ ପ୍ରାୟ 2ଶହ କି.ମି ଦୂର ପଞ୍ଜାବ- ହରିୟାଣାର ଶମ୍ଭୁ ସୀମାରେ ପୋଲିସ ସହ କୃଷକଙ୍କର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର କୃଷକ ପୋଲିସ ଦ୍ବାରା ଲଗାଯାଇଥିବା କଂକ୍ରିଟ ବାରିକେଡକୁ ଭାଙ୍ଗି ଫିଙ୍ଗି ଦେଇଛନ୍ତି । ପୋଲିସ କୃଷକଙ୍କ ଉପରେ ଲାଠିଚାର୍ଜ କରିବା ସହ ସେମାନଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି ।
ଆଜି ପୂର୍ବାହ୍ନରେ ଲକ୍ଷାଧିକ ସଂଖ୍ୟାରେ କୃଷକମାନେ ଶମ୍ଭୁ ସୀମାରେ ପହଞ୍ଚିଥିଲେ । ପୋଲିସର କଡା ସୁରକ୍ଷା ଓ ବ୍ଲକିଂ ମଧ୍ୟରେ ଶତାଧିକ ଟ୍ରାକ୍ଟର ସହ ଚାଷୀମାନେ ବାରିକେଡ ଭାଙ୍ଗି ଆଗକୁ ବଢିଥିଲେ । ପୋଲିସ ପକ୍ଷରୁ ପ୍ରାୟ 12 ରାଉଣ୍ଡ ଟିଅର ଗ୍ୟାସ ଫାଏରିଂ କରାଯାଇଛି । କୃଷକଙ୍କ ଉପରା ପାଣି ସ୍ପ୍ରେ କରି ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏଥିରେ କିଛି କୃଷକ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:- ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ଆବୁଧାବିରେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ