ଚଣ୍ଡିଗଡ଼:ଆଜିଠୁ ଆହୁରି ବ୍ୟାପକ ହୋଇଛି କୃଷକ ଆନ୍ଦୋଳନ। ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଡ୍ରୋଜର ନେଇ ଶମ୍ଭୁ ସୀମାରେ ପହଞ୍ଚିଲେ କୃଷକ । ସରକାର ଓ କୃଷକ ସଂଗଠନ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ବୈଠକ ବସିଥିଲା। କେନ୍ଦ୍ରର 5ଟି ଫସଲରେ ଏମଏସପି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ପୁଣି କୃଷକ ଆନ୍ଦୋଳନ ବ୍ୟାପକ ହୋଇଛି । ପ୍ରଶାସନ ପକ୍ଷରୁ ସିମେଣ୍ଟ ନିର୍ମିତ ବଡ଼ ବଡ଼ ବ୍ୟାରିକେଡ୍ ହଟାଇବାକୁ ଆନ୍ଦୋଳନକାରୀମାନେ ଜେସିବି, ପୋକଲିନ ଓ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଛନ୍ତି। ଏହାଦ୍ବାରା ସ୍ଥିତି ଉତ୍ତେଜନାମୂଳକ ହେବା ନେଇ ଆଶଙ୍କା ରହିଛି।
ଶମ୍ଭୁ ସୀମାରେ ପୁଣି ଥରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିପାରେ। କାରଣ ଆଜିଠାରୁ ଆରମ୍ଭ ହେଉଛି କୃଷକଙ୍କ 'ଦିଲ୍ଲୀ ମାର୍ଚ୍ଚ' । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଭଳି ଯନ୍ତ୍ରର ବ୍ୟବହାର ଦ୍ବାରା ପୋଲିସଙ୍କ ଜୀବନ ପ୍ରତି ବିପଦ ରହିଛି। ଏନେଇ ହରିୟାଣା ଡିଜିପିଙ୍କ ପକ୍ଷରୁ ପଞ୍ଜାବ ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି । ଆନ୍ଦୋଳନରେ ପୋକଲିନ ଓ ଜେସିବି ଭଳି ବଡ଼ ବଡ଼ ମେସିନର ବ୍ୟବହାର ଯୋଗୁ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏଣୁ ଏହାକୁ ରୋକାଯିବାର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଏହା ମଧ୍ୟ ପଢନ୍ତୁ...ଆନ୍ଦୋଳନ ବେଳେ ଗଲା ଆଉ ଜଣେ କୃଷକଙ୍କ ଜୀବନ, ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି