ନୂଆଦିଲ୍ଲୀ:ଦେଶରେ ସାଧାରଣ ନିର୍ବାଚନର ଠିକ ପୂର୍ବରୁ ସୁପ୍ରିମକୋର୍ଟ ମୋଦି ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ଅବୈଧ ଦର୍ଶାଇ ରଦ୍ଦ କରି ଦେଇଛନ୍ତି । ରାଜନୈତିକ ଚାନ୍ଦା ସଂଗ୍ରହ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା କହୁଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ସୂଚନା ଅଧିକାର ଆଇନର ସ୍ପଷ୍ଟ ଉଲ୍ଲଂଘନ ଭାବେ ପରିଭାଷିତ କରିଛନ୍ତି । ଯାହାକୁ ନେଇ ବିଜେପି ସରକାର ବିରୋଧରେ ବିରୋଧୀମାନେ ସମାଲୋଚନା କରିବାରେ ନୂଆ ଅବସର ମଧ୍ୟ ପାଇଛନ୍ତି । ଗତକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରରେ ଏହି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ନିଜ ସରକାର କାର୍ଯ୍ୟକାରୀ କରିଥିବା ଏହି ଯୋଜନାକୁ ଠିକ୍ ଦର୍ଶାଇବା ସହ ଏବେ ଦେଶ କଳାଧନ ଆଡକୁ ଅଗ୍ରସର ହେବ ଓ ଏଥିପାଇଁ ସମସ୍ତେ ଅନୁତାପ କରିବେ ବୋଲି ମୋଦି କହିଛନ୍ତି ।
ନିର୍ବାଚନୀ ବଣ୍ଡ ସରକାରଙ୍କ ସୁଦ୍ଧ ବିଚାର ଥିଲା :-
ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ସୁଦ୍ଧ ବିଚାର ସହ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ । ଦଶକରୁ ଏହା ଶୁଣିବାକୁ ମିଳୁଥିଲା, ଦେଶରେ କଳାଧନ ବ୍ୟବହାର କରି ରାଜନୀତି ହେଉଛି । ନିର୍ବାଚନକୁ ଏହି କଳାଧନ ବହୁମାତ୍ରାରେ ପ୍ରଭାବିତ କରୁଛି । ନିର୍ବାଚନରେ ପ୍ରଚୁର ଟଙ୍କା ଖର୍ଚ୍ଚ ହୁଏ, ଏପରିକି ବିଜେପି ମଧ୍ୟ ଟଙ୍କା ଖର୍ଚ୍ଚ କରୁଛି । ଲୋକଙ୍କ ନିକଟରୁ ରାଜନୈତିକ ଦଳମାନଙ୍କୁ ଚାନ୍ଦା ମିଳେ । ହେଲେ ଏହି ଚାନ୍ଦା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଓ ନିର୍ବାଚନକୁ କଳାଧନଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ପାଇଁ ବିଜେପି ସରକାର ବିଚାର ଆରମ୍ଭ କରିଥିଲା । ଯାହାର ପରବର୍ତ୍ତୀ ଫଳସ୍ବରୂପ ଏହି ନିର୍ବାଚନୀ ବଣ୍ଡ କାର୍ଯ୍ୟକାରୀ କରାଯାଇଥିଲା । ହେଲେ ଏହି ବିଚାର ସହିତ ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ବିଜେପି ସରକାର ପୂର୍ଣ୍ଣମାତ୍ରାରେ ସଠିକ ବୋଲି କହିନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ । ମାତ୍ର ଏହାର କାର୍ଯ୍ୟକାରିତାକୁ ବନ୍ଦ କରାଯିବା ପୁଣି ଥରେ ଦେଶକୁ କଳାଧନ ଆଡକୁ ଅଗ୍ରସର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।