ଥିରୁଅନନ୍ତପୁରମ:ଡିଜିଟାଲ ରିପୋର୍ଟିଂ କ୍ଷେତ୍ରରେ ‘Etv Bharat’କୁ ମିଳିଲା ପ୍ରଥମ ପୁରସ୍କାର । କେରଳ ବିଧାନସଭା ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ (International Book Festival)ର ଦ୍ୱିତୀୟ ସଂସ୍କରଣରେ ଅନଲାଇନ ନ୍ୟୁଜ ପରିବେଷଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ‘ଇଟିଭି ଭରତ’କୁ ଶ୍ରେଷ୍ଠ ରିପୋର୍ଟିଂ ଆଓ୍ବାର୍ଡ ମିଳିଛି । କେରଳ ବାଚସ୍ପତି ଏନ.ଶାମସିର ଏହି ପୁରସ୍କାର ପ୍ରଦାନ କରିଥିଲେ । ଥିରୁଅନନ୍ତପୁରମର ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଇଟିଭି ଭାରତ’-‘କେରଳ’ର ଥିରୁଅନନ୍ତପୁରମ ବ୍ୟୁରୋ ଚିଫ୍ ବିଜୁ ଗୋପୀନାଥ, ସାମ୍ବାଦିକ ସୁରଜ ସୁରେନ୍ଦ୍ର, ଜି.ନନ୍ଦନ ଓ ରମିଜ ମହମ୍ମଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଆଓ୍ବାର୍ଡ ସହ କ୍ୟାସ ପ୍ରାଇଜ ମଧ୍ୟ ରହିଛି ।
ପୁରସ୍କାର ବିତରଣ ସମାରୋହକୁ ସମ୍ବୋଧିତ କରି ବାଚସ୍ପତି ଏନ. ଶାମସିର୍ ଦେଶରେ ବର୍ତ୍ତମାନ ଗଣମାଧ୍ୟମର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଗଣତନ୍ତ୍ରରେ ଗଣମାଧ୍ୟମର ଏକ ମୁଖ୍ୟ ଭୂମିକା ରହିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ । କହିଥିଲେ ଯେ, ଗଣମାଧ୍ୟମ ସ୍ୱାଧୀନତା ଦୃଷ୍ଟିରୁ ଭାରତ ବିଶ୍ବର ଅନ୍ୟ ଦେଶ ତୂଳନାରେ ନିମ୍ନସ୍ଥାନରେ ରହିଛି । ହେଲେ ରାଜ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ କେରଳ ଏହି ପ୍ରସଙ୍ଗରେ ଆଗରେ ରହିଛି । ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ଡିଜିଟାଲ ଖବର ପ୍ରସାରଣ କ୍ଷେତ୍ରରେ ଇଟିଭି ଭାରତର ଦାୟିତ୍ବ ଓ କାର୍ଯ୍ୟଶୈଳୀକୁ ବାଚସ୍ପତି ପ୍ରଶଂସା ମଧ୍ୟ କରିଥିଲେ ।