ନୂଆଦିଲ୍ଲୀ:ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେଉଛନ୍ତି ଆପ୍ ନେତା । ଗତ 2 ତାରିଖରେ ଦେଇଥିବା ବୟାନକୁ ନେଇ ଫସିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ବିଜେପି ତାଙ୍କୁ ଦଳରେ ମିଶିବା ପାଇଁ ଅଫର କରିଥିବା ବୟାନ ଦେଇଥିଲେ ଅତିଶୀ । ତେବେ ଏହାକୁ ନେଇ ବିଜେପିର ଅଭିଯୋଗ ପରେ ଆପ୍ ମନ୍ତ୍ରୀଙ୍କୁ ଏହି ନୋଟିସ ଜାରି କରାଯାଇଛି ।
ତେବେ ଏହାର ଜବାବ ଆସନ୍ତାକାଲି ଅର୍ଥାତ ଏପ୍ରିଲ 6 ତାରିଖ ଅପରାହ୍ନ 5ଟା ସୁଦ୍ଧା ଲିଖିତ ଆକାରରେ ସ୍ପଷ୍ଟୀକରଣ ରଖିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉକି ପୂର୍ବରୁ ବିଜେପି ଆତିଶୀ ମାର୍ଲେନାଙ୍କୁ ମାନହାନି ନୋଟିସ ପଠାଇଥିଲା । ପାର୍ଟି ତରଫରୁ କେଉଁ ଅଫର ଆସିଥିବା ତାହା ପ୍ରକାଶ କରିବା ପାଇଁ କୁହାଯାଇଥିଲା । ଯଦି ସତ୍ୟ ସାମ୍ନାକୁ ନଆସେ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ବିଜେପି ପକ୍ଷରୁ ଅତିଶୀଙ୍କୁ କୁହାଯାଇଥିଲା । ତେବେ ଗତ 4 ତାରିଖରେ ଆତିଶୀଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି । ଦଳ ବିରୋଧରେ ମିଥ୍ୟା ବୟାନ ଦେଇଥିବା ନେଇ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।