ନୂଆଦିଲ୍ଲୀ:ଯମୁନାର ପ୍ରଦୂଷିତ ଜଳକୁ ପରିଷ୍କାର କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି ସରକାର । ଏଥିପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ଲଗାତର ପ୍ରଚେଷ୍ଟା କରାଯାଉଛି । ଯଦିଓ ବର୍ତ୍ତମାନ ଯମୁନା ନଦୀର ବିଭିନ୍ନ ସ୍ଥାନରେ ଜଳ ପ୍ରଦୂଷିତ ରହିଛି, ତଥାପି ପୂର୍ବ ଅପେକ୍ଷା ପ୍ରଦୂଷଣ ମାତ୍ରା କମ୍ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଯମୁନାରେ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ (BOD)ର ସୂଚକାଙ୍କ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି । ଯମୁନା ହାଇ ଲେବଲ କମିଟିର ଅଷ୍ଟମ ରିପୋର୍ଟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।
୨୦୨୨ ଡିସେମ୍ବର ତୁଳନାରେ ୨୦୨୩ ଡିସେମ୍ବରରେ ଅସଗରପୁରରେ ଯମୁନାର ପ୍ରଦୂଷଣ ମାତ୍ରାରେ ୩୦ ପ୍ରତିଶତ ସୁଧାର ଆସିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି । ୨୦୨୨ ମସିହାରେ ଲିଟର ପିଛା ୭୩ଏମଜି ରହିଥିଲା ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ । ହେଲେ ୨୦୨୩ରେ ଏହା ହ୍ରାସ ପାଇ ପ୍ରତି ଲିଟର ପିଛା ୫୧ ଏମଜିରେ ପହଞ୍ଚିଥିଲା ।
ରିପୋର୍ଟ ଅନୁସାରେ, ପଲ୍ଲାରେ ଗତବର୍ଷ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ ୨.୨ ଏମଜି ରହିଥିବାବେଳେ ବର୍ତ୍ତମାନ ଏହା ୨.୦ଏମଜିକୁ ହ୍ରାସ ପାଇଛି । ୱଜିରାବାଦରେ ପୂର୍ବରୁ ୯ MG ଥିବାବେଳେ ବର୍ତ୍ତମାନ ରହିଛି ୮ଏମଜି । ଆଇଏସବିଟି ବ୍ରିଜ୍ ନିକଟରେ ବିଓଡି ପୂର୍ବରୁ ୪୬ ଥିବାବେଳେ ବର୍ତ୍ତମାନ ୩୫ କୁ ହ୍ରାସ ପାଇଛି । ସେହିପରି ନିଜାମୁଦ୍ଦିନ ବ୍ରିଜ ନିକଟରେ ପୂର୍ବରୁ ବିଓଡି ୫୩ ଥିବାବେଳେ ବର୍ତ୍ତମାନ ୪୦ ରହିଛି । ଓଖଲା ବ୍ୟାରେଜରେ ପୂର୍ବରୁ ୬୮ ଆଉ ବର୍ତ୍ତମାନ ରହିଛି ୪୩ ଏମଜି । ଆଇଟିଓ ବ୍ରିଜ ନିକଟରେ ବିଓଡି ପୂର୍ବରୁ ୪୨ ଥିବାବେଳେ ବର୍ତ୍ତମାନ ତାହା ୨୯କୁ ଖସି ଆସିଛି ।