ନୂଆଦିଲ୍ଲୀ:ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ ନୂଆଦିଲ୍ଲୀ ଠାରେ ହୋଇଛି । ଟେକ୍ନୋଲୋଜି ଜରିଆରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ସ୍ୱୟମ୍ ଏକ ବୃହତ ଓପନ୍ ଅଲାଇନ କୋର୍ସ, ଯାହା ବହୁ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି । ଯାହା ସେମି-କଣ୍ଡକ୍ଟର ଏବଂ ଏଆଇ ଭଳି ଭବିଷ୍ୟତର ପାଠ୍ୟକ୍ରମ ପ୍ରଦାନ କରିବାର ଯୋଜନା ରଖିବା ସହ ବିଶେଷ ଭାବରେ ଡିଜିଟାଲ ବିପ୍ଳବରୁ ଉପକୃତ ହୋଇ ଜ୍ଞାନ ଅର୍ଥନୀତିରେ ପ୍ରବେଶ କରିନଥିବା ଯୁବଶକ୍ତିଙ୍କୁ ସର୍ବବ୍ୟାପୀ ଶିକ୍ଷା ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ଲାଟଫର୍ମର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ନୂଆଦିଲ୍ଲୀ ଠାରେ ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୬୫ ପ୍ରତିଶତ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଅର୍ଥାତ୍ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଯଥାକ୍ରମେ ୩୭ ନିୟୁତ ଏବଂ ୬୬ ନିୟୁତ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାର ଆକଳନ କରାଯାଇଛି । ସମସ୍ତ ଶିକ୍ଷାର୍ଥୀଙ୍କୁ ସର୍ବୋତ୍ତମ ଶିକ୍ଷାର ଉପଲବ୍ଧି କରାଇବା ଦିଗରେ ଡିଜିଟାଲ ପଦ୍ଧତିର ବହୁଳ ବ୍ୟବହାର ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି । ଏ ଦିଗରେ ସ୍ୱୟମ୍ ହେଉଛି ଶିକ୍ଷା ମନ୍ତ୍ରଣାଳୟର ଏକ ବୃହତ ଓପନ୍ ଅଲାଇନ କୋର୍ସ (ଏମଓଓସି) ପ୍ଲାଟଫର୍ମ, ଯାହା ବହୁ ସଂଖ୍ୟକ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି ।