ରାଞ୍ଚି:ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଟଙ୍କାର ପାହାଡ । ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋଟି କୋଟି ଟଙ୍କା ଦେଖି ତାଜୁବ ଇଡି ଅଧିକାରୀ । ଗ୍ରାମ୍ୟ ଉନ୍ନୟନ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍ଗିର ଆଲମ୍ଙ୍କ ପିଏସ୍ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରେ ଆଜି ରେଡ କରିଥିଲା ଇଡି । 25 କୋଟି ଟଙ୍କା ସହ ସୁନା ଗହଣା ମଧ୍ୟ ଜବତ କରାଯାଇଛି । ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ପାଖରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ତନାଘନା କରୁଛି ଇଡି ।
ଏହା ମଧ୍ୟ ପଢନ୍ତୁ- ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡି ରେଡ୍; ପୁଳା ପୁଳା ଟଙ୍କା-ସୁନା ଜବତ
ବୀରେନ୍ଦ୍ର ରାମ ମାମଲାରେ ଆଜି ଝାଡ଼ଖଣ୍ଡ ରାଞ୍ଚିର ଏକାଧିକ ସ୍ଥାନରେ ଇଡି ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ବାସଭବନରେ ସକାଳ ସମୟରେ ରେଡ କରିଥିଲା ଇଡି । ଏହି ସମୟରେ ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ରେଡ ଜାରି ରହିଛି । ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାରେ 2023 ମସିହା ଫେବୃଆରୀରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବୀରେନ୍ଦ୍ର କେ ରାମଙ୍କୁ ଇଡି ଗିରଫ କରିଥିଲା ।
2019ରେ, ତାଙ୍କର ଜଣେ ଅଧସ୍ତନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । ପରେ, ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଏକ ମାମଲା ଦାୟର କରିଥିଲା। ଫେବୃଆରୀ 21, 2023 ରେ ରାଞ୍ଚି, ଜାମସେଦପୁର ଏବଂ ଝାଡଖଣ୍ଡ, ବିହାର ଏବଂ ଦିଲ୍ଲୀର ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଥର ରେଡ କରିବା ପରେ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଇଡି ଧରିବାରେ ସଫଳ ହୋଇଥିଲା । ତେବେ ମନ୍ତ୍ରୀ ଆଲମ୍ଗିର ଆଲମ୍ଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ପୁଳା ପୁଳା ନଗତ ଟଙ୍କା କେଉଁଠୁ ଆସିଲା ସେନେଇ ପଚରାଉଚରା ଜାରି ରହିଛି । କାହିଁକି ସେ ନଗଦ ଟଙ୍କା ଘରେ ରଖିଥିଲେ ଓ ତାଙ୍କୁ କିଏ ଏତେ ଟଙ୍କା ଦେଲା ସେନେଇ ଇଡି ତଦନ୍ତ ଜାରି ରଖିଛି । ଏବେ ଟଙ୍କା ଗଣନା ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ