ପାଟନା (ବିହାର): ଆରଜେଡି ନେତା ସୁଭାଷ ଯାଦବ ଗିରଫ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଶନିବାର ଦିନସାରା ରେଡ୍ ପରେ ସୁଭାଷ ଯାଦବଙ୍କୁ ଗିରଫ କରିଛି ଇଡି । ତାଙ୍କୁ ଆଜି (ରବିବାର) ସକାଳେ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ନ୍ୟାୟିକ ହେପାଜତରେ ବେଉର ଜେଲକୁ ପଠାଇ ଦିଆଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଜେଡିର ବରିଷ୍ଠ ନେତାଙ୍କ ଗିରଫଦାରୀ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।
ରେଡ୍ ବେଳେ ଜବତ ହୋଇଥିଲା ୨ କୋଟି ନଗଦ ଟଙ୍କା:ଗତକାଲି (ଶନିବାର) ଦିନ ତମାମ ସୁଭାଷ ଯାଦବଙ୍କ ଏକାଧିକ ଠିକଣାରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ରେଡ୍ ବେଳେ ପାଟନାରେ ଥିବା ଦାନାପୁରସ୍ଥିତ ଘରୁ ୨ କୋଟି ନଗଦ ଟଙ୍କା ଜବତ କରିଥିଲା ଇଡି । ଏହା ସହିତ ବିପୁଳ ସମ୍ପତ୍ତି ସହ ଜଡିତ ଅନେକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଥିଲା ।
କ'ଣ ପଇଁ ହୋଇଥିଲା ଚଢ଼ାଉ ?: ଆର୍ଜେଡି ନେତା ସୁଭାଷ ଯାଦବ 'ବ୍ରଡସନ୍ସ ଲିମିଟେଡ୍' କମ୍ପାନୀର ନିର୍ଦ୍ଦେଶକ ଥିବା କୁହାଯାଉଛି । ବାଲି ଚୋରା ଚାଲାଣକୁ ନେଇ ଏହି କମ୍ପାନୀ ବିରୋଧରେ ୨୫୦ କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଏନେଇ ଦାନାପୁରସ୍ଥିତ ତାଙ୍କ ବାସଭବନ ବ୍ୟତୀତ ନାସରିଗଞ୍ଜ, ଶାହପୁର, ଯଦୁବଂଶୀ ନଗର, ମନେରରେ ହଲଦି ଛପ୍ରା ଏବଂ ପାଟନାରେ ଗୋଲା ରୋଡ ଓ ବୋରିଂ କେନାଲ ରୋଡସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଗତକାଲି (ଶନିବାର) ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଇଡିର ଚଢ଼ାଉ ଜାରି ରହିଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ଚଢ଼ାଉ କରିଥିଲା ।