ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି (AAP)ର ନିର୍ବାଚନୀ ପ୍ରଚାର ଗୀତ 'ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ' ଉପରେ ରୋକ ଲଗାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହା ପରେ ଜବାବ ରଖିଛନ୍ତି ଆପ୍ ନେତ୍ରୀ ଆତିଶୀ । କେନ୍ଦ୍ରର ବିଜେପି ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଭୟଭୀତ । ଏଥିଲାଗି ପ୍ରଥମେ ତାଙ୍କ ବିରୋଧରେ ମିଛ ମାମଲା ଆଣି ଗିରଫ କଲେ, ଏବେ ଆପ୍ ଯେପରି ନିର୍ବାଚନୀ ପ୍ରଚାର ନ କରିପାରିବ ସେଥିଲାଗି ନିର୍ବାଚନୀ ପ୍ରଚାର ଗୀତକୁ ବ୍ୟାନ କରିଥିବା ଆତିଶି ଅଭିଯୋଗ କରିଛନ୍ତି ।
ଆତିଶି ଅଭିଯୋଗ କରି କହିଛନ୍ତି, "ବିଜେପି ପ୍ରତିଦିନ ସମସ୍ତ ନୀତି ନିୟମର ଉଲ୍ଲଙ୍ଘନ କରିଚାଲିଛି । ଏହା ପ୍ରଥମ ହୋଇଥିବ ଯେ ନିର୍ବାଚନ ଆୟୋଗ କୌଣସି ଦଳର ନିର୍ବାଚନୀ ପ୍ରଚାର ଗୀତକୁ ବ୍ୟାନ କରିଛନ୍ତି । ଏହି ଗୀତରେ ତାନାସାହି ଶବ୍ଦର ବ୍ୟବହାର କରାଯାଇଛି । ଏଥିରେ ବିଜେପିର ନାଁ ମଧ୍ୟ ନାହିଁ । କିନ୍ତୁ ଇସିଆଇ କହିଛନ୍ତି ଯେ ଏହି ଗୀତରେ ବିରୋଧୀଙ୍କୁ ସମାଲୋଚନା କରାଯାଇଛି । ତେବେ ପରୋକ୍ଷରେ ଇସିଆଇ ମଧ୍ୟ ସ୍ବୀକାର କରିଛନ୍ତି ଯେ ବିଜେପି ଦେଶରେ ତାନାସାହି ଚଲାଉଛି । ବିଜେପି ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି ଇଡି, ସିବିଆଇ ମାଧ୍ୟମରେ ବିରୋଧୀ ନେତାଙ୍କୁ ଗିରଫ କରୁଛି, ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । କିନ୍ତୁ ଏହି କଥାକୁ ଆପ୍ ନିର୍ବାଚନୀ ପ୍ରଚାର ଗୀତରେ ଲେଖିବା ପରେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେପି ବିରୋଧୀ ଦଳଙ୍କ ନିର୍ବାଚନୀ ପ୍ରଚାର ଉପରେ ତାନାସାହି ଆରମ୍ଭ କରିଛି । ଏହା ଆଉ ଏକ ଗଣତନ୍ତ୍ରର ହତ୍ୟା ।"
ଏହା ବି ପଢନ୍ତୁ- ପ୍ରଚାର ମଇଦାନରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, AAP ପାଇଁ ମାଗିଲେ ଭୋଟ୍