ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଡିଷ୍ଟିଲେରି କମ୍ପାନୀ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ମୋରମ ଖଣିରେ ଖସି ପଡିବାରୁ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ୩୫ରୁ ଅଧିକ କର୍ମଚାରୀ ଥିଲେ । ସେମାନେ କୁମ୍ହାରିରୁ ଭିଲାଇକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଆରଏଫ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଖୁଣ୍ଟରେ ପିଟି ହୋଇ ମୋରମ ଖଣିରେ ଖସିଲା ବସ୍:ମୃତ କର୍ମଚାରୀମାନେ କୁମ୍ହାରି ଥାନା ଅନ୍ତର୍ଗତ କୋଡିୟା ସ୍ଥିତ ଡିଷ୍ଟିଲେରି କମ୍ପାନୀରେ କାମ କରୁଥିଲେ । ରାତି ୮ଟାରେ ଛୁଟି ହେବା ପରେ କର୍ମଚାରୀମାନେ ବସ୍ ଯୋଗେ ନିଜ ନିଜ ଘରକୁ ଯାଉଥିଲେ । ହେଲେ ରାତି ପ୍ରାୟ ସାଢେ ୮ଟା ସମୟରେ ଖପରି ଗାଁ ନିକଟରେ ବସ୍ଟି ରାସ୍ତାକଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ୫୦ ଫୁଟ ଗଭୀର ମୋରମ ଖଣି ଖାତରେ ଖସି ପଡିଥିଲା । ସେହି ସମୟରେ ବସ୍ରେ ପ୍ରାୟ ୩୦ରୁ ୩୫ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେହିପରି ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।
ବସ୍ ଦୁର୍ଘଟଣାର ଖବର ମିଳିବା ମାତ୍ରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତତ୍କାଳ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇ ବସରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତଙ୍କୁ କୁମ୍ହାରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ସେଠାରୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ରାତିରେ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିବା ସହ ଏସପି ଓ ଜିଲ୍ଲାପାଳଙ୍କ ଠାରୁ ପୁରା ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି ।