ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପ୍ରସାରଣ ସଂସ୍ଥା ‘ଦୂରଦର୍ଶନ’ ତାର ନୂତନ ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇନଥିବା ବେଳେ ଏହାର ରଙ୍ଗ ନାଲି ପରିବର୍ତ୍ତେ ଗେରୁଆ ବା ନାରଙ୍ଗୀ କରାଯାଇଛି । ନିକଟରେ ସଂସ୍ଥା ଏକ ପ୍ରମୋସନ ଭିଡିଆ ଜାରି କରି ନୂତନ ଲୋଗୋ ସମ୍ପର୍କରେ ସୂଚନା ଦେଇଛି । ତେବେ ଏହି ଗେରୁଆ ରଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏହି ରଙ୍ଗ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ଦଳୀୟ ରଙ୍ଗ ସହ ମିଶୁଥିବାରୁ ଏହି ପରିବର୍ତ୍ତନ ଏବେ ରାଜନୈତିକ ବିବାଦ ଓ ସମାଲୋଚନା ଠାରୁ ଦୂରରେ ନାହିଁ ।
ସଂସ୍ଥାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନର ତୃଣମୂଳ କଂଗ୍ରେସ ସାଂସଦ ଜବାହାର ସରକାର ଏହାକୁ ନେଇ ଆପତ୍ତି ଦର୍ଶାଇଛନ୍ତି । ଏହା ରାଷ୍ଟ୍ରୀୟ ପ୍ରସାରଣକାରୀ ସଂସ୍ଥାର ଗେରୁଆକରଣ ବୋଲି ସେ କଟାକ୍ଷ କରି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସଂସ୍ଥାର ପୂର୍ବତନ ପରିଚାଳନା ମୁଖ୍ୟ ଭାବେ ତାଙ୍କୁ ଏହା ବ୍ୟଥିତ କରୁଛି । ଏବେ ପ୍ରସାର ଭାରତୀ ପ୍ରଚାର ଭାରତୀରେ ପରବର୍ତ୍ତନ ହୋଇସାରିଲାଣି । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା 2012ରୁ 2014ରେ ୟୁପିଏ ସରକାରରେ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଥିବା ମନୀଷ ତିଓ୍ବାରୀ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାରୀ ସଂସ୍ଥାନକୁ କବଜାକୁ ନେବାରେ ଲାଗିଛନ୍ତି ସରକାର । ଏପରି କାମ ଦେଶରେ ରାଷ୍ଟ୍ରୀୟ ପ୍ରସାରକ କମ୍ପାନୀ ପ୍ରତି ଦେଶବାସୀଙ୍କର ଥିବା ବିଶ୍ବସନୀୟତାକୁ ଦୁର୍ବଳ କରିଦେବ ।