ନୂଆଦିଲ୍ଲୀ/ଶିମଲା:ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କାରଣରୁ ବାଚସ୍ପତିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ବିଧାୟକ ଆଜି ସର୍ବୋଚ୍ଚକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । 6 କଂଗ୍ରେସ ବିଧାୟକ ଦଳୀୟ ହ୍ବିପ ଉଲ୍ଲଙ୍ଘନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥିଲେ । ରାଜ୍ୟରେ ମାତ୍ର ଗୋଟିଏ ଆସନରେ ନିର୍ବାଚନ ହୋଇଥିବା ବେଳେ କ୍ରସଭୋଟିଂ କାରଣରୁ ଆବଶ୍ୟକ ସଂଖ୍ୟା ଥାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ । ଏହା ପରେ କ୍ରସଭୋଟିଂ କରିଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ସମ୍ବିଧାନର 10ମ ସୂଚୀ ଅନୁସାରେ, ଦଳୀୟ ହ୍ବିପ ବିରୋଧରେ ଯାଇଥିବା ଏହି 6 ବିଧାୟକଙ୍କୁ ବାଚସ୍ପତି ପଦରୁ ଅଯୋଗ୍ୟ ଘୋଷିତ କରିଥିଲେ ।
ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କ ମଧ୍ୟରେ ରାଜିନ୍ଦର ରାଣା, ସୁଧୀର ଶର୍ମା, ଇନ୍ଦର ଦତ୍ତ ଲକ୍ଷ୍ମଣପାଲ, ଦେବନ୍ଦର କୁମାର ଭୁଟ୍ଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା ରହିଛନ୍ତି । ତେବେ ପୂର୍ବରୁ ଏହି ଅଯୋଗ୍ୟ ଘୋଷିତ ବିଧାୟକମାନେ ହିମାଚଳ ପ୍ରଦେଶ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଏବେ ସେମାନେ ବାଚସ୍ପତି କୁଳଦ୍ବୀପ ସିଂ ପଠାନିଆଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନଙ୍କ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଅସ୍ବାମ୍ବିଧାନିକ ଓ ଏହାକୁ ରଦ୍ଦ କରିବା ପାଇଁ ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତମାସ (ଫେବୃଆରୀ) 27 ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଭୋଟିଂରେ ହିମାଚଳ ପ୍ରଦେଶରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ରାଜ୍ୟରେ ମାତ୍ର ଗୋଟିଏ ଆସନରେ ଏହି ନିର୍ବାଚନ ହୋଇଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ଶାସନରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଗଭି ବିଜୟୀ ହେବା ଏକପ୍ରକାର ନିଶ୍ଚିତ ଥିଲା । ହେଲେ ଦଳୀୟ ହ୍ବପ ଉଲ୍ଲଙ୍ଘନ କରି 6 କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାରୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହୋଇଥିଲା । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲା । ଏହା ପରେ ଏହି କ୍ରସଭୋଟିଂ କରିଥିବା ବିଧାୟକମାନେ ହରିୟାଣା ଚାଲିଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।