ନୂଆଦିଲ୍ଲୀ:ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଏଡିଟେଡ ଭିଡିଓ ସର୍କୁଲେସନରେ ସମ୍ପୃକ୍ତି ଥିବା ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ଆସନ୍ତା ମେ ପହିଲାରେ ଦିଲ୍ଲୀ ପୋଲିସର ସାଇବର ୟୁନିଟ ନିକଟରେ କଂଗ୍ରେସ ନେତା ହାଜର ହେବାକୁ ଏହି ସମନ ହୋଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ କଂଗ୍ରେସ ନେତାଙ୍କୁ ଏହି ସମନ ଜାରି କରିଛି । ତେବେ ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଏ ନେଇ ଖବର ମିଳିଥିବା ବେଳେ ସରକାରୀ ସୂତ୍ରରୁ ଏ ନେଇ ସ୍ପଷ୍ଟ କରାଯାଇନାହିଁ ।
ପିଟିଆଇ ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ମଧ୍ୟ ନିଜ ମୋବାଇଲ ଫୋନ ସହ ଅନ୍ୟ ବୈଦ୍ୟୁତିକ ଡିଭାଇସ ସାଇବର ୟୁନିଟ ନିକଟରେ ଦାଖଲ କରିବା ଲାଗି କୁହାଯାଇଛି । କଂଗ୍ରେସର ତେଲେଙ୍ଗାନା ୟୁନିଟ ପକ୍ଷରୁ ଏହି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକୃତ ଭିଡିଓରେ ଶାହ କହିଛନ୍ତି ଯେ ବିଜେପି ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମୁସଲିମଙ୍କ ପାଇଁ ଥିବା 4 ପ୍ରତିଶତ ସଂରକ୍ଷଣକୁ ହଟାଇବ । ମାତ୍ର ଫେକ ଭିଡିଓରେ କୁହାଯାଇଛି ଯେ 'ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମେତ ସମସ୍ତ ବର୍ଗ ପାଇଁ ଥିବା ସଂରକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ହଟାଯିବ ।'