ନୂଆଦିଲ୍ଲୀ:ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ । ଆଜି ଏହି ମାମଲାଲର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ, ଗତକାଲି ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ଓ କାର୍ଯ୍ୟାନୁଷ୍ଠା ସମ୍ପର୍କରେ ସବିଶେଷ ତଥ୍ୟ ସତ୍ୟପାଠ ଆକାରରେ ଦାଖଲ କରିଥିଲା । ଆଜି କୋର୍ଟ ମାମଲାର ଶୁଣାଣି ଅନିର୍ଦ୍ଦଷ୍ଟ ସମୟ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ପରବର୍ତ୍ତୀ ତାରିଖରେ ଏହା ପ୍ରକାଶ ପାଇବାକୁ ଥିବା ବେଳେ ତାରିଖ ଘୋଷଣା କରିନାହାନ୍ତି କୋର୍ଟ । ତେଣୁ କେଜ୍ରିଓ୍ବାଲଙ୍କ ମୁକ୍ତି ସମ୍ଭାବନା ଏବେ ଝୁଲି ରହିଛି ବୋଲି କହିବା ଭୁଲ ହେବନି ।
ଆଜି କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇଜୀବୀ ଅଭିଷେକ ମନୁ ସିଙ୍ଘଭୀ ପକ୍ଷ ରଖିଥିବା ବେଳେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ହାଜର ହୋଇଥିଲା । ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳକୁ ପ୍ରଚାର କରିବା ପାଇଁ ସମାନ ସୁଯୋଗ ମଳିବା କଥା । ଏପରି କର୍ଯ୍ୟାନୁଷ୍ଠାନ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ । ତେଣୁ ଏହାକୁ ଖାରଜ କରିବା ପାଇଁ କେଜ୍ରିଓ୍ବାଲଙ୍କ ପକ୍ଷରୁ ଦାବି ରଖାଯାଇଥିଲା । ଇଡି ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ନିର୍ବାଚନ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରୋକ ନଲାଗିବା ଉଚିତ ବୋଲି ଯୁକ୍ତି ଦର୍ଶାଯାଇଥିଲା । କୋର୍ଟ ଉଭୟ ପକ୍ଷର ତର୍କ ଶୁଣାଣି ପରେ ମାମଲାର ରାୟ ସଂରକ୍ଷିତ ରଖଛନ୍ତି । ଏହା ପରବର୍ତ୍ତୀ ତାରିଖରେ ପ୍ରକାଶ ପଇବ । କିନ୍ତୁ ପରବର୍ତ୍ତୀ ତାରିଖ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା କୋର୍ଟ ଆଜି ଧାର୍ଯ୍ୟ କରିନାହାନ୍ତି ।
ଗିରଫଦାରୀ ଓ ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ନିର୍ଦ୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କରିଥିବା ଆବେଦନରେ ଗତକାଲି କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ସତ୍ୟପାଠ ଜରିଆରେ ଉତ୍ତର ରଖିଥିଲା । କେଜ୍ରିଓ୍ବାଲଙ୍କ ମାମଲା ଖାରଜ ଆବେଦନକୁ ବିରୋଧ କରି ଇଡି କହିଥିଲା, କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ 9ଟି ସମନ ପାଇବା ପରେ ମଧ୍ୟ ହାଜର ହୋଇନଥିଲେ କିମ୍ବା ତଦନ୍ତରେ ଆଦୌ ସହଯୋଗ କରିନଥିଲେ । ଏହି ମମଲାର ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା । ସଂସ୍ଥା ତାଙ୍କୁ କ୍ରମାଗତ 9ଟି ସମନ ଜାରି କରିଥିଲେ ସୁଦ୍ଧା ସେ ଉଦ୍ଦେଶ୍ୟମୂଳକ ଭାବେ ହାଜର ନହେବା ସହ କୌଣସି ସହଯୋଗ ମଧ୍ୟ କରିନଥିଲେ ।