ବେଙ୍ଗାଲୁରୁ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ହାତରେ ଖଣ୍ଡା ଧରି ଭିଡିଓ ମାଧ୍ୟମରେ ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଲେ ମହମ୍ମଦ ରସୁଲ ନାମକ ଜଣେ ଯୁବକ । ସୋସିଆଲ ମିଡିଆରେ ସେ ଏକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ କର୍ଣ୍ଣାଟକର ୟାଦଗିରି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ ଯୁବକଙ୍କୁ ଧରିବା ପାଇଁ ହାଇଦ୍ରାବାଦ ସମେତ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ୟାଦଗିରି ପୋଲିସ । ଯୁବକ ଜଣଙ୍କ ହାଇଦ୍ରାବାଦର ହୋଇଥିବା ତାଙ୍କ ଫେସବୁକ ଆକାଉଣ୍ଟରେ ଉଲ୍ଲେଖ ରହିଛି ।
ସୋସିଆଲ ମିଡିଆରେ ଯୁବକ ଜଣଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ହାତରେ ଖଣ୍ଡା ଧରିଥିବା ଦେଖିବାକୁ ମିଳୁଛି । ଯଦି କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାକୁ ଆସେ ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବେ ବୋଲି ଏହି ଭିଡିଓ ମାଧ୍ୟମରେ ଧମକ ଦେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିଯୁକ୍ତ ମହମ୍ମଦ ରସୁଲ ନାମରେ ୟାଦଗିରି ପୋଲିସ ଷ୍ଟେସନରେ ଆଇପିସି ଏବଂ ଆର୍ମ୍ସ ଆକ୍ଟର ଧାରା 505 (1) (ଖ), 25 (1) (ଖ) ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି । ୟାଦଗିରି ସମେତ ଦେଶର ବିଭିନ୍ନ ସ୍ଥାନରେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି ।