ଓଡିଶା

odisha

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 44 ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜ୍ଞପ୍ତି ପ୍ରତ୍ୟାହାର କଲା ବିଜେପି, ଆସିପାରେ ସଂଶୋଧିତ ତାଲିକା - BJP candidates for JK election

By ETV Bharat Odisha Team

Published : Aug 26, 2024, 11:02 AM IST

Updated : Aug 26, 2024, 12:13 PM IST

ASSEMBLY ELECTIONS 2024 : ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । 44 ଜଣ ପାଇଥିଲେ ଟିକଟ୍‌ । କିଛି ସମୟ ମଧ୍ୟରେ ବିଜ୍ଞପ୍ତି ପ୍ରତ୍ୟାହାର କଲା ବିଜେପି । ଆସିପାରେ ସଂଶୋଧିତ ତାଲିକା । ଗତକାଲି ବସିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ BJP ଘୋଷଣା କଲା 44 ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ କିଏ !
ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ BJP ଘୋଷଣା କଲା 44 ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ କିଏ ! (ETV Bharat Odisha)

ହାଇଦ୍ରାବାଦ:ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 44 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର କରି ନେଇଛି । ଏଥିରେ ସଂଶୋଧନ କାରଣରୁ ଏହାକୁ ପ୍ରତ୍ୟାହାର କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାର୍ଥୀ ତାଲିକା ପ୍ରତ୍ୟାହାର ସମ୍ପର୍କରେ ବିଜେପି କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସନି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ପାମ୍ପୋରେ ଆସନରୁ ଇଞ୍ଜିନିୟର ଶୋକଓ୍ବାତ ଗାୟୁର ଅଣ୍ଡ୍ରାବି, ଚର୍ଚ୍ଚିତ ପୁଲଓ୍ବାମାର ରାଜପୁରା ଆସନରୁ ଅର୍ସିଦ ଭଟ୍ଟ ଓ ସୋପିଆନରୁ ଶୋକଓ୍ବାତ ମହମ୍ମଦ କାଦ୍ରୀଙ୍କୁ ଟିକେଟ ମିଳିଥିଲା । ଗତକାଲି ରାତିରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ସମସ୍ତ କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । ଗତକାଲି ବୈଠକ ପରେ ଦଳ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।

  • ତାଲିକାରେ 14 ମୁସଲିମ ଓ 2 କାଶ୍ମୀର ପଣ୍ଡିତ:-

90 ଆସନ ବିଶିଷ୍ଟ କାଶ୍ମୀର ବିଧାନସଭା ପାଇଁ ଏଥର 3ଟି ପର୍ଯ୍ୟାୟରେ ମତଦାନ ହେବ । ତେବେ ପ୍ରଥମ ପର୍ଯ୍ୟାୟ ତାଲିକାରେ ଦୁଇ ପ୍ରମୁଖ ନେତାଙ୍କୁ ଟିକଟ ଦେଇନି ଦଳ । ଦୁଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂ ଓ କବିନ୍ଦ୍ର ଗୁପ୍ତାଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇନି । ଏଥିରେ 14ଜଣ ମୁସଲିମ୍‌ ଓ 2ଜଣ କାଶ୍ମୀର ପଣ୍ଡିତ ଟିକଟ ପାଇଛନ୍ତି । ସେହିପରି ନ୍ୟାସନାଲ କନଫରେନ୍ସରୁ ଆସି ବିଜେପିରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଭାଇ ଦେବେନ୍ଦ୍ର ରାଣ ମଧ୍ୟ ଏଥର ଟିକଟ ପାଇଥିଲେ । ଏବେ ସଂଶୋଧିତ ତାଲିକାରେ କିଏ ସ୍ଥାନ ପାଇବ ଓ କାହା ନାମ କଟିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

  • ଆସନ୍ତାମାସରୁ 3 ପର୍ଯ୍ୟାୟରେ ମତଦାନ:-

ଏଥର ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବର 19, 25 ଓ ଅକ୍ଟୋବରର ପହିଲାରେ ତିନି ପର୍ଯ୍ୟାୟରେ ମତଦାନ ହେବ । 4 ତାରିଖରେ ଭୋଟଗଣତି ଓ ଜନାଦେଶ ପ୍ରକାଶ ପାଇବ । 2019 ରେ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟପ୍ୟାହା ଦେଉଥିବା ଧାରା-370 ଉଚ୍ଛେଦ ହେବା ପରେ ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ କାଶ୍ମୀରବାସୀ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି । ଏବେ ବିଧାନସଭା ପାଇଁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବେ । ଘାଟିରୁ ଧାରା-370 ଉଚ୍ଛେଦ କରିବା ପରେ କିଏ ପ୍ରଥମ ସରକାର ଗଢୁଛି, ସେ ନେଇ ସମସ୍ତଙ୍କ ନଜର ରହିଛି ।

  • 2014 ନିର୍ବାଚନ ଫଳାଫଳ:-

ଏକ ଦଶନ୍ଧି ପୂର୍ବରୁ କାଶ୍ମୀରରେ 2014 ରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ମେହେବୁବା ମୁଫତିଙ୍କ ପାର୍ଟି 28 ଆସନ ଜିତି ସର୍ବବୃହତ୍ତ ଦଳ ଭାବେ ସାମ୍ନାକୁ ଆସିଥିଲା । ବିଜେପି ମଧ୍ୟ 25 ଆସନ ଜିତି ଭଲ ପ୍ରଦର୍ଶନ କରିଥିଲା । ସେହିପରି ସେତେବେଳେ କ୍ଷମତାରେ ଥିବା ଫାରୁକ ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନସି) 15 ଆସନ ଓ କଂଗ୍ରେସ 12ଟି ସିଟରେ ବିଜୟୀ ହୋଇଥିଲା । ପ୍ରଥମ ଥର ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ଜନତା ପାର୍ଟି ଓ ପିଡିପି ମେଣ୍ଟରେ ସରକରା ଗଠନ କରିଥିଲେ । ମୁଫତି ମହମ୍ମଦ ସଏଦ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2016 ରେ ମୁଫତିଙ୍କ ଦେହାନ୍ତ ପରେ ତାଙ୍କ ଝିଅ ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

  • ସମର୍ଥନ ପ୍ରତ୍ୟାହାର କରି ସରକାର ଭାଙ୍ଗିଥିଲା ବିଜେପି:-

ପରବର୍ତ୍ତୀ ସମୟରେ ବିଜେପି ମୁଫତି ନେତୃତ୍ବାଧୀନ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ସରକାରର ପତନ ଘଟାଇଥିଲା । ଏହାର କିଛି ମାସ ମଧ୍ୟରେ ଧାରା-370 ଓ ଅନୁଚ୍ଛେଦ (କ) କୁ ଉଚ୍ଛେଦ କରାଯାଇଥିଲା । ଫଳରେ ଜମ୍ମୁ କାଶ୍ମୀର ରାଜ୍ୟପ୍ୟାହା ହରାଇବା ସହ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିଲା । ଏବେ ଦୀର୍ଘ ଦଶବର୍ଷ ପରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 26, 2024, 12:13 PM IST

ABOUT THE AUTHOR

...view details