ହାଇଦ୍ରାବାଦ:ସାରା ଦେଶରେ ସାଇବର କ୍ରାଇମ ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଆର୍ଥିକ ଓ ମାନସିକ ସ୍ତରରେ ଏହା ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଭିନ୍ନ ଭିନ୍ନ ତରିକା ଆପଣାଇ ଠକି ଚାଲିଛନ୍ତି ସାଇବର ଠକ । ତେବେ ହାଇଦ୍ରାବାଦରେ ଚାକିରୀ ନାଁରେ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଡାଟା ଏଣ୍ଟ୍ରି ଚାକିରୀ ନାମରେ କମ୍ପାନୀର ନିୟମ ଉଲ୍ଲଂଘନ କରିଥିବା ନେଇ ଏକ ଫେକ ଲିଗାଲ ନୋଟିସ ପଠାଇ ଜଣେ ମହିଳାଙ୍କୁ ଭୟଭିତ କରି ତାଙ୍କ ଠାରୁ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ସାଇବେରାବାଦ ସାଇବର କ୍ରାଇମ ଷ୍ଟେସନରେ ଜଣେ ମହିଳାଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁଯାୟୀ, ଫ୍ଲୋରା ସଲ୍ୟୁସନ୍ ନାମରେ ଏକ ଡାଟା ଏଣ୍ଟ୍ରି ଚାକିରୀ ପାଇଁ ବିଜ୍ଞପ୍ତି ବାହାରିଥିଲା । ପରେ ମହିଳା ଜଣଙ୍କ ଏଥିରେ ଚାକିରୀ କରିଥିଲେ । ପ୍ରଥମେ ସାଇବର ଠକମାନେ ତାଙ୍କୁ ଏକ ଆଇଡି ପଠାଇବା ସହ ଏଥିରେ ଲଗଇନ କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସେପଟେ କାମ ସରିବା ପରେ ଠକମାନେ ମହିଳାଙ୍କୁ ଏକ ନକଲି ନୋଟିସ୍ ପଠାଇଥିଲେ । କର୍ମଚାରୀ ଠିକ ଭାବରେ କାର୍ଯ୍ୟ କରୁନାହିଁ ଓ ଅନୁଷ୍ଠାନର ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ନୋଟିସରେ ଉଲ୍ଲେଖ କରି ମହିଳାଙ୍କୁ ଭୟଭିତ କରିଥିଲେ । ଏଥିପାଇଁ ସାଇବର ଠକମାନେ ମହିଳାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗିଥିଲେ ।