ଭୁବନେଶ୍ବର: ଲୋକସଭା ପାଇଁ ନିଯୁକ୍ତ ହୋଇଛନ୍ତି କାମଚଳା ବାଚସ୍ପତି । କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ବା ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବିରେ ନିଯୁକ୍ତ କରାଯାଇଛି । ଏପଟେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ସୂଚନାଯୋଗ୍ୟ ଯେ ଲୋକସଭାକୁ ଲଗାତାର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି । ପୂର୍ବରୁ ବିଜେଡି ଟିକଟରୁ ୬ ଥର ବିଜୟୀ ହୋଇଥିବା ବେଳେ ଏଥର ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରି ସେ ବିଜେପିରେ ସାମିଲ ହୋଇଥିଲେ । ଲୋକସଭା ନିମନ୍ତେ ସ୍ଥାୟୀ ବାଚସ୍ପତି ନିର୍ବାଚନ ନହେବା ଯାଏଁ ସେ ଏହି ଦାୟିତ୍ବ ତୁଲାଇବେ । ଆସନ୍ତା ଜୁନ ୨୬ ତାରିଖରେ ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ହେବ । ତାହା ପୂର୍ବାରୁ ଏଥର ଲୋକସଭା କୁ ନିର୍ବହାଚିତ ହୋଇ ଆସିଥିବା ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର୍ ଭର୍ତ୍ତୃହରି ମହତାବ । ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ସାଂସଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ସହଯୋଗ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର ବାଲୁ, ରାଧା ମୋହନ ସିଂହ, ଫଗନ ସିଂ କୁଲସ୍ତେ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...କେତେ କ୍ଷମତାଶାଳୀ 'ବାଚସ୍ପତି' ? କେଉଁ ଆଧାରରେ ହୁଏ ଚୟନ ଜାଣନ୍ତୁ - Role Of Lok sabha Speaker
୨୦୧୭ ମସିହାରେ ଭର୍ତ୍ତୃହରି ମହତାବଙ୍କୁ ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କର ସଂସଦରେ ବାକ୍ ପଟୁତା ଓ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାଜିତ କରିଥିଲେ । ଯାହା ଫଳରେ ପ୍ରଥମ ଥର ପାଇଁ କଟକ ଲୋକସଭା ଆସନରେ ଫଦ୍ମ ଫୁଟିଥିଲା ।