ଇମ୍ଫାଲ/ଗୌହାଟୀ/କୋଲକାତା:ମଣିପୁରରେ ପୁଣିଥରେ ବ୍ୟାପକ ହିଂସା ଦେଖାଦେଇଛି । ନିଖୋଜ ଥିବା 6 ଅପହୃତଙ୍କ ମୃତଦେହ ସ୍ଥାନୀୟ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । 3 ଜଣ ମନ୍ତ୍ରୀ ଓ ଏକାଧିକ ବିଧାୟକଙ୍କ ବାସଭବନରେ ଉତ୍ୟକ୍ତ ଲୋକେ ଆକ୍ରମଣ ଉଦ୍ୟମ କରିଛନ୍ତି । ଜଳପୋଡା ସହ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ-ପୂର୍ବ ଓ ପଶ୍ଚିମ ସମେତ ସମେତ 3 ଜିଲ୍ଲାରେ କର୍ଫ୍ୟୁ ସହ 7 ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପଡିଛି ।
- ଗୋଟିଏ ପରିବାରର 6 ଜଣଙ୍କୁ ହତ୍ୟା:-
ଏହି 6 ଜଣ ଅପୃହତ ଜିରିବାମ ଜିଲ୍ଲାର ଦଙ୍ଗା ପ୍ରଭାବିତ ଗୋଟିଏ ପରିବାରର ସଦସ୍ୟ । ସେମାନେ ଏକ ରିଲିଫ୍ କ୍ୟାମ୍ପରେ ଥଇଥାନ ହୋଇଥିଲେ । 11 ତାରିଖ (ସୋମବାର) ସୁରକ୍ଷା କର୍ମୀଙ୍କ ଗୁଳିରେ 10 କୁକି ଉଗ୍ରବାଦୀ ନିପାତ ହୋଇଥିଲେ । ଏହାର ପ୍ରତିବାଦରେ ଉଗ୍ରବାଦୀମାନେ ରିଲିଫ କ୍ୟାମ୍ପରେ ଆକ୍ରମଣ କରି 3 ଜଣଙ୍କୁ ଗୁଳି କରି ହତ୍ୟା କରିବା ସହ ଏହି 6 ଜଣଙ୍କୁ ଅପହରଣ କରିନେଇଥିଲେ । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ସର୍ଚ୍ଚ ଅପରେସନ କରି ସୁଦ୍ଧା ଏମାନଙ୍କୁ ଉଦ୍ଧାର କରିପାରିନଥିଲେ ।
- ନଦୀରୁ ମିଳିଲା ଅପହୃତଙ୍କ କ୍ଷତାକ୍ତ ମୃତଦେହ :-
ଶୁକ୍ରବାର ଓ ଶନିବାର ରାତିରେ ଏମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଏମାନଙ୍କ ମଧ୍ୟରୁ ଜଣେ 2 ମହିଳା ଓ ଜଣେ ଶିଶୁର ମୃତଦେହ ଶୁକ୍ରବାର ରାତିରେ ଉଦ୍ଧାର ହୋଇଥିଲା । ଅନ୍ୟ 2 ମହିଳା ଓ ଜଣେ ଶିଶୁର ମୃତଦେହ ଗତକାଲି (ଶନିବାର) ରାତିରେ ଜିରିବାମ ଜିଲ୍ଲାର ବାରାକ ନଦୀରୁ ଉଦ୍ଧାର ହୋଇଥିଲା । ହତ୍ୟାର ଶିକାର ହୋଇଥିବା 6 ଜଣଙ୍କ ମଧ୍ୟରେ 3 ମହିଳା ଓ 3 ଶିଶୁ ରହିଛନ୍ତି ଓ ସମସ୍ତେ ଗୋଟିଏ ପରିବାର ସଦସ୍ୟ । ସମସ୍ତ ମୃତଦେହ ଆସାମର ସିଲଚରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।