ନୂଆଦିଲ୍ଲୀ: ଏକାକାଳୀନ ଗୋଟିଏ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ସମସ୍ତ 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟକୁ ଜବରଦସ୍ତ ଝଟକା ଦେଇଛନ୍ତି ମମତା ବାନାର୍ଜୀ । ତେବେ ମେଣ୍ଟରୁ ଅଘୋଷିତ ଭାବେ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ କଂଗ୍ରେସ ମମତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଦ୍ବାର ଖୋଲା ରଖିଛି । ମୁମ୍ବାଇରେ 17 ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ଦ୍ବିତୀୟ ରାଲି ତଥା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଉଦଯାପନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମମତାଙ୍କୁ ନିମନ୍ତ୍ରଣ କରିଛି କଂଗ୍ରେସ । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମମତାଙ୍କ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।
ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଜାରି ରଖିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମୁମ୍ବାଇରେ ସମାପିତ ହେବାକୁ ଯାଉଛି । 17 ତାରିଖରେ ଏହି ବହୁଚର୍ଚ୍ଚିତ ଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମ ରହିଛି । ଏଥିରେ ତମାମ କଂଗ୍ରେସ ନେତାଙ୍କ ସହ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମୁଖ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ । ମେଣ୍ଟର ଅନ୍ୟତମ ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ବାନାର୍ଜୀ । କଂଗ୍ରେସ ସହ ଆସନ ବୁଝାମଣା ଫେଲ ମାରିବା ସହ ମମତା ଏକାକୀ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିଲେ ସୁଦ୍ଧା ‘ଇଣ୍ଡିଆ’ ମେଣ୍ଟରୁ ଔପଚାରିକ ଭାବେ ସମ୍ପର୍କ ଛିନ୍ନ କରିନାହାନ୍ତି । ସେ କେବଳ କଂଗ୍ରେସ ସହ ଆସନ ଭାଗବଣ୍ଟା କରିନାହାନ୍ତି । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ମମତା ଏବେ ମଧ୍ୟ ମେଣ୍ଟର ପ୍ରମୁଖ ସଦସ୍ୟା ଭାବେ ଅଛନ୍ତି ।