ଭୁବନେଶ୍ବର: ଦୁର୍ବଳ ହେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରି ବର୍ତ୍ତମାନ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା 24 ଘଣ୍ଟା ଯାଏଁ ଏହା ତୀବ୍ରତା ବଜାୟ ରହିବ । ପରେ ଧୀରେ ଧୀରେ ଏହା ସମୁଦ୍ର ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠୁ ପାଗରେ ପରିବର୍ତ୍ତନ, ହେବ ଘନ କୁହୁଡି:
The depression over westcentral Bay of Bengal moved east-northeastwards and weakened into a well marked low pressure area over the same region at 1730 hrs IST of 21st December 2024. The well marked low pressure area is likely to persist over the region for next 24 hours and… pic.twitter.com/dXZJt1D5gT
— India Meteorological Department (@Indiametdept) December 21, 2024
ରାଜ୍ୟରେ ବର୍ଷା କମିବା ପରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ 50 ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ।
ଆଜି ରାଜ୍ୟର ଏହି ସ୍ଥାନରେ ହୋଇପାରେ ବର୍ଷା:
ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରାଯାଇଛି । ତଥାପି ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେକ ବର୍ଷା ହୋଇପାରେ । ଏହାସହ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଜି ବାଲେଶ୍ବର, ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି । ସେହିପରି ଦକ୍ଷିଣ ଓଡ଼ିଶା ଯେପରି କି ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
୩ ଦିନ ପରେ ରାଜ୍ୟରେ ଶୀତ ବଢିବ:
ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ନୂଆ ବର୍ଷ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହ ୩ ଦିନ ପରେ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ଏବଂ ରାତିର ତାପମାତ୍ରା କମିବ । ବର୍ଷା ପାଗ ପାଇଁ ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ବେଗୁନିଆରେ ୮୪ ମିମି, ପିପିଲି, ଜଟଣୀ ଏବଂ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର