ଓଡିଶା

odisha

'ଅପରେସନ ଲୋଟସ୍‌' ଚିନ୍ତା, ଆସ୍ଥା ପ୍ରସ୍ତାବ ଆଣିଲେ ଆପ୍‌ ମୁଖ୍ୟ କେଜ୍ରିୱାଲ

By ETV Bharat Odisha Team

Published : Feb 16, 2024, 7:13 PM IST

Motion Of Confidence: ବିଜେପି ବିରୋଧରେ ଆପ୍‌ ମୁଖ୍ୟ କେଜ୍ରିୱାଲଙ୍କ ଘୋଡ଼ା ବେପାର ଅଭିଯୋଗ । ଗୃହରେ ଆଗତ କଲେ ଆସ୍ଥା ପ୍ରସ୍ତାବ । ଅଧିକ ପଢନ୍ତୁ

CM Kejriwal
CM Kejriwal

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆସ୍ଥା ପ୍ରସ୍ତାବ ଆଗତ କଲେ ଆପ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ । ବିଜେପି ଦିଲ୍ଲୀରେ ଅପରେସନ ଲୋଟସ୍‌ ଆଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସେ ଆସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଆପ୍‌ର ସମସ୍ତ ବିଧାୟକ ଦଳ ସହିତ ଅଛନ୍ତି, ଏହା ବିଜେପିକୁ ଦେଖାଇବା ଲାଗି ସେ ଏହି ଆସ୍ଥା ପ୍ରସ୍ତାବ ଆଗତ କରିଥିବା ନେଇ ମଧ୍ୟ ଆଜି ଗୃହରେ କହିଛନ୍ତି କେଜ୍ରିୱାଲ ।

ଦିଲ୍ଲୀର ଅଲିପୁର ଅଗ୍ନିକାଣ୍ଡ ଘଟଣାରେ ପୀଡ଼ିତଙ୍କ ପରିବାରକୁ ଭେଟିବା ପରେ ବିଧାନସଭାରେ ପହଞ୍ଚିଥିଲେ କେଜ୍ରିୱାଲ । ଏହାପରେ ଆସ୍ଥା ପ୍ରସ୍ତାବ ଆଗତ ସମ୍ପର୍କରେ ସୂଚନା ଦେଇ କେଜ୍ରିୱାଲ କହିଥିଲେ ଯେ କିଛି ଦିନ ପୂର୍ବରୁ ତାଙ୍କ ନିକଟକୁ ଦୁଇ ଜଣ ବିଧାୟକ ଆସିଥିଲେ । ସେମାନେ କହିଥିଲେ ଯେ ଉଭୟଙ୍କୁ ୨୫-୨୫ କୋଟି ଟଙ୍କାର ପ୍ରଲୋଭନ ଦେଖାଯାଇଥିଲା । କେଜ୍ରିୱାଲ ଆହୁରି କହିଥିଲେ ଯେ ବିଜେପି ପ୍ରାୟ ୨୧ ଜଣ ଆମ ଆଦମି ପାର୍ଟିର ବିଧାୟକଙ୍କ ସହିତ ଯୋଗାଯୋଗ କରିଛି । ଏହାପରେ ଜଣ ଜଣ କରି ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିବା ପରେ ବିଜେପି ୭ ଜଣ ବିଧାୟକଙ୍କୁ ଯୋଗାଯୋଗ କରିଥିବା କଥା ସ୍ପଷ୍ଟ ହୋଇଥିଲା ।

ଏହା ବି ପଢନ୍ତୁ-Operation Lotus in Panjab ! ପ୍ରତି ବିଧାୟକଙ୍କୁ 25 କୋଟିର ପ୍ରଲୋଭନ ମିଳିଥିବା ମନ୍ତ୍ରୀଙ୍କ ଅଭିଯୋଗ

ଏହାପରେ କେଜ୍ରିୱାଲ କହିଥିଲେ, " ଯେଉଁ ତଥାକଥିତ ଅବକାରୀ ଦୁର୍ନୀତି ସମ୍ପର୍କରେ କୁହାଯାଉଛି, ତାହା କୌଣସି ଦୁର୍ନୀତି ନୁହେଁ । ବିଜେପି ଯେପରି ଅନ୍ୟ ରାଜ୍ୟଗୁଡ଼ିକରେ ସରକାର ଭାଙ୍ଗୁଛି, ଠିକ ସେହିପରି ଅବକାରୀ ଦୁର୍ନୀତି ଆଳରେ ଗିରଫ କରି ଆମ ଆଦମି ପାର୍ଟିର ସରକାର ଭାଙ୍ଗିବାକୁ ଏକ ଷଡ଼ଯନ୍ତ୍ର । କାରଣ ବିଜେପି ଭଲ ଭାବେ ଜାଣିଛି ଯେ ସେମାନେ ଦିଲ୍ଲୀରେ ନିର୍ବାଚନ ଜିତିପାରିବେ ନାହିଁ । ଯେତେବେଳେ ନିର୍ବାଚନ ଜିତି ପାରିବେ ନାହିଁ, ସେତେବେଳେ କୌଣସି ପ୍ରକାରେ ସରକାର ଭାଙ୍ଗିବା ଲାଗି ଉଦ୍ୟମ କରାଯାଉଛି । କିନ୍ତୁ ଏହା ଭଗବାନଙ୍କ କୃପା ଯେ ସେମାନଙ୍କ ଯୋଜନା ସଫଳ ହୋଇପାରିଲା ନାହିଁ । ବାସ୍ତବରେ ଆମର କୌଣସି ବିଧାୟକ ବିଜେପିର ଅପରେସନ ଲୋଟସ ଚକ୍ରାନ୍ତରେ ଫସିନାହାନ୍ତି । ସମସ୍ତ ବିଧାୟକ ଆମ ସାଥିରେ ଅଛନ୍ତି । ହେଲେ କେବଳ ବିଜେପିକୁ ଏହା ସ୍ପଷ୍ଟ କରିବା ଲାଗି ଏହି ଆସ୍ଥା ପ୍ରସ୍ତାବ ଆଗତ କରିବାକୁ ଯାଉଛି ।"

ଏହା ବି ପଢନ୍ତୁ- ‘ଆପ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି’: କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ

ଆସ୍ଥା ପ୍ରସ୍ତାବ କଣ ? :ସାଧାରଣତଃ ସରକାରଙ୍କ ବିରୋଧରେ ବିରୋଧୀମାନେ ଆସ୍ଥା ପ୍ରସ୍ତାବ ଆଣିଥାନ୍ତି । ଏହାପରେ ସରକାରଙ୍କୁ ବହୁମତର ପ୍ରମାଣ ଦେବାକୁ ପଡ଼େ । ତେବେ ଦିଲ୍ଲୀ ବିଧାନସଭାର ମୋଟ ଆସନ ସଂଖ୍ୟା ୭୦ ଥିବା ବେଳେ ଆପ୍‌ ନିକଟରେ ୬୨ଟି ଆସନ ରହିଛି । ଏହା ସତ୍ତ୍ବେ ଦିଲ୍ଲୀ ସରକାର ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିଜେ ଆଗତ କରିଥିବା ଆସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ । ଏହାପୂର୍ବରୁ ୨୦୨୩ ମାର୍ଚ୍ଚ ୨୯ ତାରିଖରେ ମଧ୍ୟ ଆପ୍‌ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣି ଆପ୍‌ ସରକାର ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details