ଡେରାଡୁନ:ତୀର୍ଥଯାତ୍ରା ସାଜିବାରେ ଲାଗିଛି ଅନ୍ତିମ ଯାତ୍ରା । ଭୀଷଣ ଗରମ, ହଠାତ ପାଗରେ ପରିବର୍ତ୍ତନ ଓ ଗରମରେ ଉଚ୍ଚ ପର୍ବତ ଚଢିବା ଚାରିଧାମ ତୀର୍ଥଯାତ୍ରୀଙ୍କ ପାଇଁ କାଳ ସାଜିଛି । ଚଳିତ ବର୍ଷ ଚାରି ଧାମ ତୀର୍ଥଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏଯାବତ 49 ଜଣଙ୍କ ମୃତ୍ୟୁ ଘଟିଲାଣି । ଗତ 12 ଦିନ ମଧ୍ୟରେ ଏହି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଧିରେ ଧିରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି ।
ମୃତକଙ୍କ ମଧ୍ୟରେ ହୃଦରୋଗୀ ସାମିଲ:-ରାଜ୍ୟ ଜରୁରୀକାଳୀନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ବଦ୍ରିନାଥ ଧାମରେ ଆଜି (ମେ 23) ସକାଳ 11ଟା ପର୍ଯ୍ୟନ୍ତ ଆଉ 2 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସେପଟେ କେଦାରନାଥ ଓ ଗଙ୍ଗୋତ୍ରିରେ ଯଥାକ୍ରମେ 4ଜଣ ଓ ଜଣେ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହାସହ ଗତକାଲି ରାତି 10ଟା ସୁଦ୍ଧା ଆଉ 7ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଯାବତ ଚାରି ଧାମ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା 49ରେ ପହଞ୍ଚିଛି । ଏହି ମୃତକଙ୍କ ମଧ୍ୟରେ ହୃଦରୋଗୀ ଓ ଅନ୍ୟ ରୋଗରେ ପୀଡ଼ିତ ସାମିଲ ଅଛନ୍ତି ।
ଗତବର୍ଷ ଯାଇଥିଲା 250 ଶ୍ରଦ୍ଧାଳୁଙ୍କ ଜୀବନ:- ଉତ୍ତରାଖଣ୍ଡରେ ଗତବର୍ଷ 2023ରେ ଚାରିଧାମ ଯାତ୍ରା ସମୟରେ 250ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ମଧ୍ୟ ମୃତ୍ୟୁ ଜାରି ରହିଥିବା ବେଳେ 12 ଦିନରେ 49ଜଣଙ୍କ ପ୍ରାଣହାନି ଘଟିଲାଣି । ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଇଛି ଯେ ଚାରିଧାମ ଯାତ୍ରା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ସେମାନଙ୍କୁ ପଠାଯାଉଛି । ଏହାସତ୍ତ୍ବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।