ଗାନ୍ଧୀନଗର:ଫ୍ଲାଟ କିଣିବାରେ ମଧ୍ୟ ଜାତିଗତ ଭେଦଭାବ ଅଭିଯୋଗ । କେବଳ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ଉକ୍ତ ସୋସାଇଟିରେ ଘର କିମ୍ବା ଫ୍ଲାଟ କିଣିବା ପାଇଁ ଅନୁମତି । ଫ୍ଲାଟ କିଣିବା ପାଇଁ ଅଗ୍ରୀମ ଦେଇସାରିଥିବା ବେଳେ ଏନଓସି ମିଳିଲାନି କି ପୁରାଇ ଦେଲାନି ସୋସାଇଟି ମ୍ୟାନେଜମେଣ୍ଟ । ଏପରି ଏକ ଅଭାବନୀୟ ଅଭିଯୋଗ କୌଣସି ଉପାନ୍ତ କିମ୍ବା ଅନୁନ୍ନତ ଅଞ୍ଚଳ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜୁରାଟ ରାଜଧାନୀ ଗାନ୍ଧୀନଗରରୁ ସାମ୍ନାକୁ ଆସିଛି । ଜଣାଶୁଣା କମ୍ପାନୀ ‘ଜେପି ମୋର୍ଗାନ ଚେଜ୍ ଆଣ୍ଡ କୋ’ ଉପାଧ୍ୟକ୍ଷ ଅନିରୁଦ୍ଧ କେଜ୍ରିୱାଲ ଏହି ଜାତିଗତ ଭଦଭାବର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସେ ଏନେଇ ଏକ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ ଟ୍ୟାଗ କରିଛନ୍ତି ।
ଅଭିଯୋଗରେ ଅନିରୁଦ୍ଧ କହିଛନ୍ତି ଯେ, ସେ ଗାନ୍ଧିନଗର ଗିଫ୍ଟ ସିଟି ଅଞ୍ଚଳରେ ଏକ ସୋସାଇଟିରେ ଫ୍ଲାଟ କିଣିବା ବେଳେ ଜାତି ଭେଦଭାବର ଶିକାର ହୋଇଛନ୍ତି । ଏକ ନିର୍ଦ୍ଦିଷ୍ଟ ସୋସାଇଟିର ପ୍ରାୟ 30 ଜଣ ସଦସ୍ୟ ଏକାଠି ହୋଇ ତାଙ୍କୁ ଧମକ ଦେଇଥିଲେ ଏବଂ ଫ୍ଲାଟ କିଣିବାକୁ ଚେତାବନୀ ଦେଇଥିଲେ । ଏହାର କାରଣ ଥିଲା ତାଙ୍କର ଜାତି । ଏହି ସୋସାଇଟିରେ ସମସ୍ତ ଘର କିମ୍ବା ଫ୍ଲାଟ କିଣିପାରିବେ ନାହିଁ । ସମସ୍ତ ଜାତିବର୍ଗକୁ ଏହା ମଧ୍ୟକୁ ପ୍ରବେଶ କରିବାର ଅନୁମତି ନାହିଁ ବୋଲି ସେମାନେ କହିଥିଲେ । ବିଲ୍ଡରକୁ ଅଗ୍ରୀମ ଟଙ୍କା ଦେଇସାରିଥିଲେ ସୁଦ୍ଧା ସୋସାଇଟି ମ୍ୟାନେଜମେଣ୍ଟ କମିଟି ଏନଓସି ନଦେବା କାରଣରୁ ସେ ଫ୍ଲାଟ କିଣିବାରୁ ବଞ୍ଚିତ ହୋଇଛନ୍ତି ।