ହାଇଦ୍ରାବାଦ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲ ମାମଲାରେ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କେ.କବିତାଙ୍କୁ ସର୍ବୋଚ୍ଚ କୋର୍ଟ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏହି ମାମଲାରେ ତାଙ୍କୁ ଆସନ୍ତାମାସ (ମାର୍ଚ୍ଚ) 13 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିପାରିବ ନାହିଁ । ଏହି ମାମଲାରେ କବିତା କ୍ରମାଗତ କେନ୍ଦ୍ରୀୟ ସଂସ୍ଥାର ସମନ ପାଇବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ଆଶ୍ବସ୍ତି ପ୍ରଦାନ କରିଛନ୍ତି ।
ଗତ ସପ୍ତାହରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଥିଲା । ହେଲେ ସେ ଏକାଧିକ କାରଣ ଦର୍ଶାଇ ଏହି ସମନରେ ହାଜର ହୋଇନଥିଲେ । ପୂର୍ବରୁ ଇଡି ମଧ୍ୟ ତାଙ୍କୁ ସମନ ଜାରି କରିସାରିଛି । ଯାହା ବିରୋଧରେ କବିତା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ନିଜ ଆବେଦନରେ କବିତା ଦର୍ଶାଇଛନ୍ତି, ସେ ଜଣେ ମହିଳା ହୋଇଥିବାରୁ ତାଙ୍କର କିଛି ଗୋପନୀୟତା ଅଧିକାର ରହିଛି । ତଦନ୍ତକାରୀ ସଂସ୍ଥାର ଅଧିକାରୀ ତାଙ୍କୁ ତାଙ୍କ ବାସଭବନରେ ଜେରା କରନ୍ତୁ । ତାଙ୍କୁ କାର୍ଯ୍ୟାଳୟକୁ ଡାକି ଜେରା କରିବା ଅନୁଚିତ ।
ଦିଲ୍ଲୀର ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ତାଙ୍କ ନାମ ପ୍ରଥମରୁ ରହିଆସିଛି । 2022 ଡିସେମ୍ବରରେ ସେ ଶେଷଥର ପାଇଁ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରାର ସମ୍ମୁଖୀନ ହୋଇଥିଲେ । ଏହା ପରେ ସେ ଏକାଧିକ ସମନ ପାଇଥିଲେ ସୁଦ୍ଧା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହିଆସିଛନ୍ତି । ସେ ଏହା ବିରୋଧରେ ଗତବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ତାଙ୍କୁ ସେତେବେଳେ ଅନ୍ତରୀଣ ସୁରକ୍ଷା ମିଳିଥିଲା । ଏବେ ସେ ପୁଣି ଥରେ ଆସନ୍ତାମାସ 15 ପର୍ଯ୍ୟନ୍ତ କୋର୍ଟରୁ ସୁରକ୍ଷା ପାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ନୂଆ ସମନ ଜାରି କରିପାରିବ ନାହିଁ ।