ଥିରୁଅନନ୍ତପୁରମ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଆଜି ମୁମ୍ବାଇରୁ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଉଡାଣ ଭରିଥିବା AI 657 (BOM-TRV) ବିମାନରେ ବୋମା ଥିବା ପାଇଲଟଙ୍କୁ ଧମକ ମିଳିଛି । ଏହି ଖବର ପରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫୁଲ୍ ଏମର୍ଜେନ୍ସି ଘୋଷଣା କରାଯାଇଛି । ବର୍ତ୍ତମାନ ଉକ୍ତ ବିମାନକୁ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିବା ବେଳେ ଏହାକୁ ଏବେ ଆଇସୋଲେସନ ସ୍ଥାନରେ ରଖାଯାଇଛି । ବିମାନରେ କ୍ରୁ ମେମ୍ବରଙ୍କ ସମେତ ୧୩୫ ଯାତ୍ରୀ ରହିଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇ ବର୍ତ୍ତମାନ ଯାଞ୍ଚ ଚାଲିଛି ।
ପାଇଲଟ ଦେଲେ ବୋମା ଧମକ ସୂଚନା:
ସୂତ୍ରରୁ ସୂଚନା ମୁତାବକ, ଆଜି ସକାଳେ ୧୩୫ ଯାତ୍ରୀ ଓ କ୍ରୁ ମେମ୍ବରକୁ ନେଇ ମୁମ୍ବାଇରୁ ଏୟାର ଇଣ୍ଡିଆ ବିମାନ ଥିରୁଅନନ୍ତପୁରମକୁ ଉଡାଣ ଭରିଥିଲା । ହେଲେ ଏହି ବିମାନକୁ ବୋମା ଧମକ ମିଳିଥିବା ଏହାର ପାଇଲଟ ସୂଚନା ଦେଇଥିଲେ । ସକାଳ ୭ଟା ୩୦ରେ ଏ ସମ୍ପର୍କରେ ପାଇଲଟ ଥିରୁଅନନ୍ତପୁରମ ବିମାନ ବନ୍ଦରକୁ ଜଣାଇଥିଲେ । ଏହାପରେ ବିମାନ ବନ୍ଦରରେ ଫୁଲ୍ ଏମର୍ଜେନ୍ସି ଘୋଷଣା ହୋଇଥିଲା । ସକାଳ ପ୍ରାୟ ୮ଟା ବେଳେ ବିମାନ ସୁରକ୍ଷିତ ଅବତରଣ କରିଥିଲା । ଏହାପରେ ବିମାନକୁ ଆଇସୋଲେସନ ସ୍ଥାନକୁ ନିଆଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ୮ଟା ୪୪ ସୁଦ୍ଧା ସମସ୍ତ ଯାତ୍ରୀ ବାହାରକୁ ଆସିଥିଲେ ।